ନବୀନଙ୍କ ନନ୍ଦନକାନନକୁ ଆସିବେ ଗଞ୍ଜାମ ଟାଇଗର

0

ଓଡିଶା ଫାଷ୍ଟ (ବ୍ୟୁରୋ) : ନବୀନଙ୍କ ନନ୍ଦନକାନନକୁ ଆସିବେ ଗଞ୍ଜାମ ଟାଇଗର ? ଗଞ୍ଜାମ ଜିଲ୍ଲାର ବାହୁବଳୀ ନେତା ତଥା ସାନଖେମୁଣ୍ଡିର ପୂର୍ବତନ ବିଧାୟକ ରମେଶ ଜେନା ବିଜେଡିରେ ଯୋଗ ଦେଇ ପାରନ୍ତି । ସୂଚନା ଅନୁସାରେ ଏ ନେଇ ପ୍ରାଥମିକ କଥାବାର୍ତ୍ତା ସରିଲାଣି । ବିଭିନ୍ନ ଅପରାଧିକ ମାମଲାରେ ଦୁଇ ବର୍ଷରୁ ଅଧିକ ସମୟ ଧରି ବ୍ରହ୍ମପୁର ଜେଲରେ ଅଛନ୍ତି ରମେଶ ।

କିନ୍ତୁ ପୋଲିସ୍ ତାଙ୍କ ବିରୁଦ୍ଧରେ ୩୦ ରୁ ଉର୍ଦ୍ଧ୍ବ ମାମଲା ରୁଜୁ କରିଥିଲା । କିନ୍ତୁ ଗୋଟିଏ କେସକୁ ବାଦ୍ ଦେଇ ସମସ୍ତ ମାମଲାରେ ତାଙ୍କୁ ଜାମିନ ମିଳିଯାଇଥିବା ଜଣାପଡ଼ିଛି । ଶେଷ ମାମଲାରେ ବେଲ ପାଇବା ପରେ ରମେଶ ବିଜେଡି ଶିବିରରେ ଯୋଗ ଦେବାର ସମ୍ଭାବନା ରହିଛି । କାରଣ ରମେଶଙ୍କ ସମର୍ଥିତ, ବ୍ରହ୍ମପୁରର ୫ ରୁ ଉର୍ଦ୍ଧ୍ବ କର୍ପୋରେଟର ବିଜେଡିରେ ଯୋଗ ଦେଇସାରିଛନ୍ତି ।

ରମେଶ ବିଜେଡିରେ ଯୋଗ ଦେଲେ ଗଞ୍ଜାମ ଜିଲ୍ଲାରେ ଦଳ ଅପରାଜେୟ ହେବା ସହ ଜିଲ୍ଲାରେ କଂଗ୍ରେସ ତା’ର ସ୍ଥିତି ହରାଇବା ଏକ ପ୍ରକାର ନିଶ୍ଚିତ । କାରଣ କିଛି ଦିନ ପୂର୍ବରୁ ଜିଲ୍ଲାର ତିନି ନେତା ଚନ୍ଦ୍ର ଶେଖର ସାହୁ, ବିକ୍ରମ ପଣ୍ଡା ଓ ଭଗବାନ ଗନ୍ତାୟତ ନବୀନଙ୍କ କ୍ୟାମ୍ପକୁ ଲମ୍ଫ ଦେଇ ସାରିଛନ୍ତି ।

ଏପଟେ କଂଗ୍ରେସ ନେତା ଙ୍କ ଦଳ ଛାଡିବା ଜାରି ରହିଛି । ରାଜ୍ୟ ପ୍ରଭାରୀ ପରିବର୍ତ୍ତନ ସତ୍ତ୍ବେ ଦଳ ବଦଳ ଉପରେ ରୋକ ଲାଗିପାରୁନି । ଉଭୟ ବିଜେପି ଓ ବିଜେଡି ଏହି ଅସନ୍ତୁଷ୍ଟ କଂଗ୍ରେସ ନେତାଙ୍କୁ ନିଜ ପକ୍ଷକୁ ନେଇ ନିଜ ଦଳର ଶକ୍ତି ବୃଦ୍ଧି କରିବାରେ ଲାଗିଛନ୍ତି । ଏହି କ୍ରମରେ କଟକ ଜିଲ୍ଲାର ଯୁବ ସଂଗଠକ ମାନସ ଚୌଧୁରୀ, ପାରାଦ୍ବୀପର ପ୍ରମୋଦ ଜେନାଙ୍କ ସହ ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀ, ବିଜୟଲକ୍ଷ୍ମୀ ସାହୁ ଓ ସୁରେଶ ମହାପାତ୍ରଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।
କଟକ-ଚୌଦ୍ବାର ବିଧାୟକ ପ୍ରଭାତ ବିଶ୍ବାଳ ଚିଟଫଣ୍ଡ ମାମଲାରେ ଫସି ଏବେ ଜେଲରେ । ତାଙ୍କ ପତ୍ନୀଙ୍କ ନାମରେ ମଧ୍ୟ କେସ ରହିଛି ।

ତେଣୁ ଏହି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ସନ୍ଧାନରେ ଅଛି ବିଜେଡି । ସୂଚନା ଅନୁସାରେ ମାନସ ଚୌଧୁରୀଙ୍କୁ ନିଜ ଦଳକୁ ନେବାକୁ ନିଜେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମନ ବଳାଇଛନ୍ତି । କିନ୍ତୁ ଧର୍ମେନ୍ଦ୍ରଙ୍କୁ ଚେକମେଟ ଦେବା ପାଇଁ ବିଚାର ବିମର୍ଷ କରୁଛନ୍ତି ବିଜେଡିର ଗୋଟିଏ ଗୋଷ୍ଠୀ । ଚୌଦ୍ବାରରେ ନିଜସ୍ୱ ସଂଗଠନ ଥିବା ମାନସଙ୍କୁ ନିଜ ଦଳକୁ ନେଇଛି ବିଜେଡି । ସେହିପରି ସାଂସଦ ଅର୍ଜୁନ ସେଠୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦେଖିଲେ ବିକଳ୍ପ ଭାବେ ଅନନ୍ତଙ୍କୁ ମଧ୍ୟ ବିଜେଡି ନିଜ ଦଳକୁ ନେଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

 

Leave A Reply

Your email address will not be published.