ସରକାରୀ ଯୋଜନା ବାଟବଣା,ଭାରରେ ବୁହା ହେଲା ରୋଗୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅନେକେ ଚେଷ୍ଟା ପରେ ବି ବଦଳୁନି ଗାଁର ଚିତ୍ର। ସରକାରଙ୍କ କୁଢ଼କୁଢ଼ ଯୋଜନା ଏଠି ଅପହଁଚ। ନାଁ ରାସ୍ତା ଖଣ୍ଡେ ଅଛି ନାଁ ସ୍ୱାସ୍ଥ୍ୟସେବା ସୁବିଧା ଅଛି। ଯେତେ ଚର୍ଚ୍ଚା ଯେତେ ସମାଲୋଚନା ପରେ ବି ଉପାନ୍ତ ଅଞ୍ଚଳରେ ବଦଳି ପାରୁନି ରୋଗୀ ସେବାର ସ୍ଥିତି। ଗୁରୁତର ରୋଗୀଙ୍କ ସେବାରେ ଆସିପାରୁନି ଆମ୍ବୁଲାନ୍ସ। ଫଳରେ ଭାରରେ ବୁହା ହୋଇ ଡାକ୍ତରଖାନା ଯାଉଛନ୍ତି ରୋଗୀ। କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ତୁର୍ଲି ଗାଁରେ ଏମିତି ଏକ ଘଟଣା ସାମନାକୁ ଆସିଛି। ଗାଁକୁ ରାସ୍ତା ନଥିବାରୁ ଅସୁସ୍ଥ ରୋଗୀଙ୍କୁ ୮ କିଲୋମିଟର ପର୍ଯ୍ୟନ୍ତ କାନ୍ଧରେ ବୋହି ଡାକ୍ତରଖାନା ନେଇଛନ୍ତି ସମ୍ପର୍କୀୟ। ପାଦଚଲା ରାସ୍ତା ଖଣ୍ଡେ ନ ଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିବ ଅସମ୍ଭବ। ତେଣୁ ରୋଗୀଙ୍କୁ ଭାରରେ ନେବା ବ୍ୟତୀତ ଅନ୍ୟ କିଛି ବିକଳ୍ପ ବି ନାହଁ।

ଘଟଣା ମୁତାବକ, ୩ ଦିନ ତଳେ ଏହି ଗ୍ରାମର ମୁଦୁଲି ହୁଇକା ଜ୍ୱର ଯୋଗୁ ଅସୁସ୍ଥ ହୋଇପଡ଼ିଥିଲେ। ଗାଁ ଲୋକେ ଦୀର୍ଘ ୮ କିଲୋମିଟର ପର୍ଯ୍ୟନ୍ତ ତାଙ୍କୁ କାନ୍ଧରେ ବୋହି ନେଇ ସ୍ଥାନୀୟ ମାତାଲପୁଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଗାଁକୁ ରାସ୍ତା ସୁବିଧା ନଥିବାରୁ ବର୍ଷ ବର୍ଷ ଧରି ଏଭିଳି ସମସ୍ୟା ଭୋଗି ଆସୁଛନ୍ତି ଲୋକେ। ଏଠାକୁ ରାସ୍ତା ଲାଗି ୩ ବର୍ଷ ତଳୁ ଟେଣ୍ଡର ସରିଥିଲେ ବି ଏଯାଏଁ ନିର୍ମାଣ କାମ ଆରମ୍ଭ ହୋଇପାରିନି ବୋଲି ଅଭିଯୋଗ ହୋଇଛି।

Sikshaya
Leave A Reply

Your email address will not be published.