ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସରକାରୀ ହାଇସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏଣିକି ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଆସନ ସଂରକ୍ଷଣ ହେବ। ସୋମବାର ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନେଇ ସେହି ପ୍ରତିଶ୍ରୁତି ପାଳନ କରିଛନ୍ତି। ରାଜ୍ୟ ସରକାର ଏଥିପାଇଁ ଏକ ‘ସଂକଳ୍ପ’ ପାରିତ କରିଛନ୍ତି। ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏସଂପର୍କିତ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିିଳିଛି ବୋଲି ବୈଠକରେ ସୂଚନା ଦେଇଥିଲେ। ସେ କହିଥିଲେ, ସରକାରୀ ହାଇସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏଣିକି ଆସନ ସଂରକ୍ଷଣ ବ୍ୟବସ୍ଥା ରହିବ। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଏହି ସଂରକ୍ଷଣ ଦିଆଯିବ। ଆଗାମୀ ଶିକ୍ଷାବର୍ଷରୁ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ ସରକାର ଏକ ‘ସଂକଳ୍ପ’ ପାରିତ କରିଛନ୍ତି। ଉକ୍ତ ସଂକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ ଦେବା ପରେ ଚୂଡ଼ାନ୍ତ ରୂପ ଦେବା ନିମନ୍ତେ ଏକ କମିଟି ଗଠନ ହେବ।
ଏଥିରେ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଅଧ୍ୟକ୍ଷ ରହିବେ। ତିନି ମାସ ମଧ୍ୟରେ କମିଟିର ରିପୋର୍ଟ ଦେବ। ସେହି ରିପୋର୍ଟ ଆଧାରରେ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବା ସହ ଆସନ୍ତା ଶିକ୍ଷା ବର୍ଷରୁ ତାହାକୁ ଲାଗୁ କରିବେ। ଏହାଦ୍ୱାରା ‘ଜେଇଇ’ ଓ ‘ନିଟ୍’ ଭଳି ଏକକ ପରୀକ୍ଷା ପ୍ରବର୍ତ୍ତନ ପରେ ଯେଉଁ ସମସ୍ୟା ସୃଷ୍ଟି ହେଉଥିଲା ତାହା ଆଉ ହେବ ନାହିଁ। ଡାକ୍ତରୀ ଓ ଇଞ୍ଜିନିୟରିଂ ନାମଲେଖାରେ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ସୁଯୋଗ ପାଇପାରିବେ। ସରକାରୀ ସ୍କୁଲରେ ପଢ଼ୁଥିବା ମେଧାବୀ ଛାତ୍ରଛାତ୍ରୀମାନେ ନ୍ୟାୟ ପାଇବା ସହ ନିଜ ଦକ୍ଷତାର ସର୍ବୋତ୍ତମ ପ୍ରଦର୍ଶନ କରିପାରିବେ, ଆଉ ଉଚ୍ଚଶିକ୍ଷା ପଢିବାର ସ୍ପପ୍ନ ବି ସେମାନଙ୍କର ସାକାର ହେବ।

Prev Post