ଷ୍ଟାର୍ଟଅପ୍‌ ଓଡ଼ିଶା ଯାତ୍ରା ୨.୦ ଆରମ୍ଭ କଲେ ସରକାର

0

ରାଜ୍ୟରେ ଅଧିକ ଯୁବ ଉଦ୍ୟୋଗୀ ସୃଷ୍ଟି କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଯୁବଗୋଷ୍ଠୀଙ୍କ ମଧ୍ୟରେ ନୂତନ ଉଦ୍ୟୋଗୀ ହେବାର ଚିନ୍ତାଧାରାକୁ ତୃଣମୂଳ ସ୍ତରରୁ ବିକାଶ କରିବା ସକାଶେ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଶିକ୍ଷିତ ଯୁବଗୋଷ୍ଠୀକୁ ଏକ ସଫଳ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବା ସକାଶେ ସରକାର ଷ୍ଟାର୍ଟଅପ୍‌ ଓଡ଼ିଶା ଯାତ୍ରା ୨.୦ ଆରମ୍ଭ କରିଛନ୍ତି।

ରାଜ୍ୟରେ ବହୁ ସଂଖ୍ୟାରେ ଯୁବ ଉଦ୍ୟୋଗୀ ସୃଷ୍ଟି ହେବେ। ଆସନ୍ତା ୨୦୨୫ ସୁଦ୍ଧା ୫ ହଜାର ଷ୍ଟାର୍ଟଅପ୍‌ ସୃଷ୍ଟି କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ଉଦ୍ୟୋଗୀ ହେବାର ଭାବନା ଜାଗ୍ରତ କରାଯିବ। ଏହି ଲକ୍ଷ୍ୟ ନେଇ ରାଜ୍ୟ ସରକାର ଷ୍ଟାର୍ଟଅପ୍‌ ଓଡ଼ିଶା ଯାତ୍ରା ୨.୦ ଆରମ୍ଭ କରିଛନ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଯାତ୍ରା ଆସନ୍ତା ୨ ମାସ ମଧ୍ୟରେ ରାଜ୍ୟର ୩୦ ଜିଲାର ୧୦୦ ଶିକ୍ଷାନୁଷ୍ଠାନ ପରିକ୍ରମା କରିବ। ତୃଣମୂଳସ୍ତରରୁ ଇନୋଭେଟର, ମହିଳା ଉଦ୍ୟୋଗୀ ସୃଷ୍ଟି କରିବା ସହ ଯୁବଗୋଷ୍ଠୀଙ୍କୁ ଉଦ୍ୟୋଗ ପ୍ରତି ଆକୃଷ୍ଟ କରିବା ଲକ୍ଷ୍ୟ ନେଇ ଏହି ଯାତ୍ରା ଆରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯୁବଗୋଷ୍ଠୀଙ୍କ ମଧ୍ୟରେ ନୂଆ ଚିନ୍ତାଧାରାର ସଂସ୍କୃତି ସୃଷ୍ଟି କରିବା ସହ ଉଦ୍ୟୋଗୀ ହେବାର ମାନସିକତାକୁ ବୃଦ୍ଧି କରିବାରେ ଏହା ସହାୟକ ହେବ । ରାଜ୍ୟରେ ଏବେ ସୁଦ୍ଧା ୧୩୦୦ ସ୍ବୀକୃତିପ୍ରାପ୍ତ ଷ୍ଟାର୍ଟଅପ୍‌ ରହିଛି । ଏହା ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛି। ଏଥିରୁ ୪୦ ପ୍ରତିଶତ ଷ୍ଟାର୍ଟଅପ୍‌କୁ ମହିଳା ଉଦ୍ୟୋଗୀ ଚଳାଉଛନ୍ତି। ଏହି ଯାତ୍ରା ସମୟରେ ବିଭିନ୍ନ ଅନୁଷ୍ଠାନ ତରଫରୁ ବୁଟ୍‌କ୍ୟାମ୍ପ ଆୟୋଜନ କରାଯିବ। ଓଡ଼ିଶା ହେଉଛି ନୂତନ ଚିନ୍ତାଧାରା ଓ ମେଧାବୀଙ୍କ ହବ୍‌। ରାଜ୍ୟରେ ଯୁବ ଉଦ୍ୟୋଗୀ ସୃଷ୍ଟି କରିବା କ୍ଷେତ୍ରରେ ଷ୍ଟାର୍ଟଅପ୍‌ ଓଡ଼ିଶା ଯାତ୍ରା ୨.୦ ଭ୍ୟାନ୍‌ କ୍ୟାମ୍ପେନ ଓ ବୁଟ୍‌କ୍ୟାମ୍ପ୍ସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ) ସଚିବ ରଞ୍ଜନା ଚୋପ୍ରା, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ, ଷ୍ଟାର୍ଟଅପ୍‌ ଓଡ଼ିଶାର ଏକ୍‌ଜିକ୍ୟୁଟିଭ ଚେୟାରମ୍ୟାନ ଓମ୍‌କାର ରାୟ ଏବଂ ୫୦ ଜଣ ଯୁବ ଷ୍ଟାର୍ଟଅପ୍‌ ପ୍ରତିଷ୍ଠାତା ଉପସ୍ଥିତ ଥିଲେ।

SOA post below
Leave a comment