ଦୁଇଟି ପୁଲିସ ହେପାଜତ ମୃତ୍ୟୁ, ଶାସକଦଳକୁ ଘେରିବେ ବିରୋଧୀ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ):ଶୁକ୍ରବାର ଠାରୁ ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ରାଜନୈତିକ ଦୃଷ୍ଟିକୋଣରୁ ଏହା ବେଶ ଗୁରୁତ୍ୱପୂର୍ଣ୍ଣ। ହେଲେ ବିଧାନସଭାର ଦିନକ ପୂର୍ବରୁ ରାଜ୍ୟରେ ଦୁଇଟି ହାଜତ ମୃତ୍ୟୁ ଭଳି ସମ୍ଭେଦନଶୀଳ ଘଟଣା ଘଟିଛି। ଯାହା ଶାସକଦଳ ପାଇଁ ସାମାନ୍ୟ ଅଡୁଆ ସୃଷ୍ଟି କରିଥିବା ବେଳେ ବିରୋଧିଙ୍କ ପାଇଁ ଏହା ଖୋରାକ ଯୋଗାଇଛି। ଘଟଣାକୁ ନେଇ ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ଦୁଇ ପ୍ରମୁଖ ବିରୋଧି ଦଳ କଂଗ୍ରେସ ଓ ବିଜେପି ଏହାକୁ ବିଧାନସଭାରେ ମୁଦ୍ଦା କରିବାକୁ ଏକ ପ୍ରକାର ରଣନୀତି ପ୍ରସ୍ତୁତ କରିସାରିଛନ୍ତି।
ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନାରେ ପୁଲିସ ହେପାଜତରେ ଥିବା ସାରିକ ସଲିମଙ୍କର ମୃତ୍ୟୁ ଘଟିଥିବା ବେଳେ ପୁରୀ ବାସେଳୀସାହି ଥାନାରେ କେ. ରମେଶଙ୍କର ଥାନାରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣାକୁ ଗମ୍ଭୀରତାର ସହ ତଦନ୍ତ କରୁଥିବା ବେଳେ ହାଜତ ମୃତ୍ୟୁକୁ ଖଣ୍ଡନ କରିଛି। ଡିଜିପି ଶ୍ରୀ ଅଭୟ କହିଛନ୍ତି, ପୁଲିସ ଘଟଣାକୁ ଗୁରୁତ୍ୱର ସହ ନେଇଛି। ସମସ୍ତ ପ୍ରକାର ବ୍ୟବସ୍ଥା ଭିତରେ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ହାଜତରେ କିଭଳି ମୃତ୍ୟୁ ହେଲା ସେନେଇ ଏକ ସ୍ୱତନ୍ତ୍ର ଟିମ ଅନୁଧ୍ୟାନ କରୁଛନ୍ତି। ଏନଏଚ୍ଆରସି ଗାଇଡଲାଇନ୍ ପାଳନ ହେବ ଓ ସେହି ଅନୁସାରେ ଘଟଣାର ତଦନ୍ତ କରାଯିବ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଭିଯୁକ୍ତଙ୍କର ମୃତ୍ୟୁ କିପରି ଘଟିଲା, ତାହା ସ୍ପଷ୍ଟ ହେବ।
ପୁରୀ ଏସ୍ପି ଅଖିଳେଶ୍ୱର ସିଂହ ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା ସ୍ୱୀକାର କରିଥିବା ବେଳେ ପୁଲିସ ମାଡ଼କୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି, ବଳିଆପଣ୍ଡା ଅଞ୍ଚଳର କେ. ରମେଶ ନାମକ ଯୁବକ ମାରଣାସ୍ତ୍ର ଧରି ବୁଲୁଥିବା ପୁଲିସ ଖବର ପାଇଥିଲା। ତାଙ୍କୁ ଧରିବାକୁ ଗଲା ବେଳେ ପୁଲିସ ସହ ତାଙ୍କର ଧସ୍ତାଧସ୍ତି ହୋଇଥିଲା। ଏହି ଧସ୍ତାଧସ୍ତି ବେଳେ ସେ ଆହତ ହୋଇଥିଲେ। ଅଭିଯୁକ୍ତଙ୍କୁ ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ବାସେଳୀସାହି ଥାନାରେ ଏନେଇ ମାମଲା ରୁଜୁ ହୋଇଥିଲା ବେଳେ ଜଣେ ଅତିରିକ୍ତ ଏସପିଙ୍କ ଦ୍ୱାରା ଏହାର ତଦନ୍ତ ହେଉଛି। ଏନ୍ଏଚଆରସିଙ୍କ ଗାଇଡଲାଇନ ଅନୁସାରେ ସମ୍ପୂର୍ଣ୍ଣ ତଦନ୍ତ କରାଯିବ। ପୁଲିସ ମାଡ଼ରେ ମୃତ୍ୟୁ ଘଟିଛି ବୋଲି ଯାହା କୁହାଯାଉଛି, ତାହା ସତ ନୁହେଁ।
ସୁନ୍ଦରଗଡ଼ ଏସ୍ପି ସାଗରିକା ନାଥ କହିଛନ୍ତି, ପୁଲିସ ମାଡ଼ରେ ଅଭିଯୁକ୍ତର ମୃତ୍ୟୁ ଘଟିଥିବା ଅଭିଯୋଗର କୌଣସି ସତ୍ୟତା ନାହିଁ। ପୁଲିସ ହେପାଜତରେ ଥିବା ବେଳେ ଅଭିଯୁକ୍ତ ଅସୁସ୍ଥ ହୋଇପଡ଼ିଥିଲା। ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନ୍ଏଚଆରସି ଗାଇଡ ଲାଇନ ଅନୁସାରେ ଘଟଣାର ତଦନ୍ତ ହେବ। ସ୍ୱତନ୍ତ୍ର ଡାକ୍ତରି ଟିମ ଓ ଭିଡିଓଗ୍ରାଫି ମାଧ୍ୟମରେ ଶବ ବ୍ୟବଚ୍ଛେଦ କରାଯାଇଛି। ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ୱାରା ଘଟଣାର ତଦନ୍ତ କରାଯିବ। ତଦନ୍ତ ପରେ ଯିଏ ଦୋଷୀ ବାହାରିବ, ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଉଲ୍ଲେଖଥାଉ କି, କ୍ରସର ମାଲିକ ପ୍ରଦୀପ କୁଣ୍ଡୁଙ୍କ ଅପହରଣ ମାମଲାରେ ଗତ୧୮ ତାରିଖରେ ବୀରମିତ୍ରପୁର ପୁଲିସ କରବଲହାରୋଡର ସାରିକ ସଲିମଙ୍କୁ ହେପାଜତକୁ ନେଇଥିଲା। ଗୁରୁବାର ରାତିରେ ସେ ଅସୁସ୍ଥ ହୋଇପଡିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଆଇଜିଏଚ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ପୁଲିସ ମାଡ଼ରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଲୋକେ ଥାନା ଘେରାଉ କରିବା ସହ ରାସ୍ତା ଅବରୋଧ କରିଥିଲେ।
ସେହିପରି ବୁଧବାର ସନ୍ଧ୍ୟାରେ କୌଣସି ଏକ ମାମଲାରେ ବଳିଆପଣ୍ଡା ଅଞ୍ଚଳର କେ. ରାମେଶକୁ ବାସେଳିସାହି ପୁଲିସ ଉଠାଇନେଇଥିଲା। ପୁଲିସ ହେପାଜତରେ ଥିବା ବେଳେ ଗୁରୁବାର ସେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ତାଙ୍କୁ ପୁଲିସ ପିଟିପିଟି ମାରିଦେଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏପରିକି ବିଭିନ୍ନ ରାଜେନୈତିକ ଦଳର ନେତମାନେ ପହଞ୍ଚି ଘଟଣାର ନିରପେକ୍ଷ ତଦନ୍ତ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।

Leave A Reply

Your email address will not be published.