‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ କ’ଣ ? ଏହାର ଉଦ୍ଦେଶ୍ୟ କ’ଣ ? କେମିତି ହେବେ ଏଥିରେ ସାମିଲ

ଆଜି ପ୍ରଧାନମନ୍ତ୍ରୀ ମୋଦି ନିଜ ସୋସିଆଲ ମିଡ଼ିଆ ପ୍ରୋଫାଇଲରେ ‘ତ୍ରିରଙ୍ଗା’ ପତାକାକୁ ସ୍ଥାନିତ କରିଛନ୍ତି । ଏହାସହିତ ସେ ଟ୍ବିଟ କରି ଦେଶବାସୀଙ୍କୁ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରେ ସାମିଲ ହେବା ପାଇଁ ଅପିଲ କରିଛନ୍ତି । ଏହାସହିତ ମୋଦି ନିଜ ମାସିକ ରେଡି଼ଓ କାର୍ଯ୍ୟକ୍ରମ ‘Mann Ki Baat’ କାର୍ଯ୍ୟକ୍ରମରେ ମଧ୍ୟ ଏନେଇ ଆଲୋଚନା କରିଥିଲେ । ତେବେ ଏହି ଅଭିଯାନ ସେ ସମ୍ପର୍କରେ ଆସନ୍ତୁ ଅଧିକ ଜାଣିବା ।
‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ କ’ଣ ?
ଏହି ଅଭିଯାନ ମାଧ୍ୟମରେ କେନ୍ଦ୍ର ସରକାର ପ୍ରତ୍ୟେକ ଦେଶବାସୀଙ୍କ ଘରେ ତ୍ରିରଙ୍ଗା ପତାକା ଉଡ଼ାଇବା ପାଇଁ ଯୋଜନା କରିଛନ୍ତି । ଏହି କାର୍ଯ୍ୟ ଲାଗି ସରକାର ପ୍ରାୟ ୨୦ କୋଟି ଘରକୁ ଲକ୍ଷ୍ୟ ରଖିଛନ୍ତି । ସରକାର ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି ଯେ ଆସନ୍ତା ୧୩ରୁ ୧୫ ତାରିଖ ମଧ୍ୟରେ ଦେଶରେ ପ୍ରାୟ ୨୦ କୋଟିରୁ ଅଧିକ ଘର ଉପରେ ତ୍ରିରଙ୍ଗା ଉଡ଼ିବ । ଏଥିରେ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ମଧ୍ୟ ସାମିଲ ରହିଛି । ଏହି ଅଭିଯାନକୁ ନେଇ ପ୍ରଶାସନ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଛି । ଏଥିଲାଗି କିଛି ନୋଡ଼ାଲ ଅଧିକାରୀଙ୍କ ନିଯୁକ୍ତି ମଧ୍ୟ ହୋଇଛି । ଏଥିଲାଗି କେନ୍ଦ୍ର ସରକାର ୩ ପ୍ରକାରର ତ୍ରିରଙ୍ଗାର ଉତ୍ପାଦନ କରିଛନ୍ତି । ଏଗୁଡ଼ିକ ଡାକ ଘରେ ଉପଲବ୍ଧ ରହିବ ଓ ଦେଶବାସୀକୁ ଏହାକୁ ଅନଲାଇନରୁ ମଧ୍ୟ କିଣିପାରିବେ ।
କେମିତି ହେବେ ସାମିଲ ?
ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି ଯେ ସ୍ବାଧୀନତା ଦିବସରେ ପ୍ରତ୍ୟେକ ଘର ଉପରେ ତ୍ରିରଙ୍ଗା ପତାକା ଉଡ଼ିବ । ଏହାଦ୍ବାରା ପ୍ରତିଟି ଭାରତୀୟଙ୍କ ପାଇଁ ଏହା ଗର୍ବର ବିଷୟ ହେବ । ଏହି ଅଭିଯାନରେ ଅଂଶଗ୍ରହଣ କରିବା ଲାଗି କେନ୍ଦ୍ର ସରକାର ଏକ ୱେବସାଇଟ ମଧ୍ୟ ଖୋଲିଛନ୍ତି । ଆପଣ harghartiranga.com ଯାଇ ଏହାର ପ୍ରମାଣ ପତ୍ର ଡାଉନଲୋଡ଼ କରିପାରିବେ । ଆପଣ ୱେବସାଇଟକୁ ଯାଇ ପ୍ରଥମେ ନିଜ ନାମ, ମୋବାଇଲ ନଂ ଓ ମୋବାଇଲ ଲୋକେସନ ଅନ୍ କରିବାକୁ ପଡ଼ିବ । ଏହାପରେ ଡାଉନଲୋଡ଼ ଓ ପ୍ରିଣ୍ଟ ଅପସନ୍ ଆସିବ ।
କ’ଣ ଏହି ଅଭିଯାନର ଉଦ୍ଦେଶ୍ୟ ?
ଚଳିତ ଅଗଷ୍ଟ ୧୫ ତାରିଖରେ ଦେଶ ୭୫ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଛି । ଏଥିଲାଗି ଏହି ଅଭିଯାନକୁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି । ଏହା ନାଗରିକଙ୍କ ହୃଦୟରେ ଦେଶଭକ୍ତି ଜାଗୃତ କରିବ । ପ୍ରତିଟି ଭାରତୀୟଙ୍କୁ ନିଜ ଘରେ ତ୍ରିରଙ୍ଗା ପତାକା ଉଡ଼ାଇବା ଲାଗି ଅଧିକରୁ ଅଧିକ ପ୍ରୋତ୍ସାହିତ କରିବା ଲାଗି ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି ।
ଜାତୀୟ ପତାକା ସହିତ ଜଡ଼ିତ ଗାଇଡଲାଇନ ?
ଆମ ଦେଶର ଜାତୀୟ ପତାକା ସହିତ ଜଡ଼ିତ ଥିବା କିଛି ନିର୍ଦ୍ଦିଷ୍ଟ ନିୟମ ରହିଛି । ଏହା ସମ୍ପର୍କରେ ଜାଣିବା ମଧ୍ୟ ନିହାତି ଜରୁରୀ । ଏହି ନିୟମ ସହିତ ଯଦି ଆପଣ ତ୍ରିରଙ୍ଗା ପତାକା ଉଡ଼ାଇବେ ନାହିଁ ତେବେ ଆପଣଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ । ଏଥିଲାଗି ଭାରତ ସରକାରଙ୍କ ଦ୍ବାରା ଫ୍ଲାଗ କୋଡ଼ (Flag Code) ମଧ୍ୟ ପ୍ରସ୍ତୁତ କରାଯାଇଛି । ଏଗୁଡ଼ିକ ଜାତୀୟ ପତାକାର ଉପଯୋଗ, ପ୍ରଦର୍ଶନ ଓ ଉଡ଼ାଇବା ସହିତ ଜଡ଼ିତ କିଛି ଗାଇଡ଼ଲାଇନ । ଏହାକୁ ଗତ ୨୦୦୨ ଜାନୁଆରୀ ୨୬ ତାରିଖରୁ ଲାଗୁ କରାଯାଇଥିଲା ।
୭ଟି ନିୟମ:-
-ବ୍ୟବସାୟିକ ଉଦ୍ଦେଶ୍ୟ ଲାଗି ଜାତୀୟ ପତାକାର ପ୍ରୟୋଗ କରାଯାଇପାରିବ ନାହିଁ ।
-କୌଣସି ବ୍ୟକ୍ତି ବା ବସ୍ତକୁ ଗାର୍ଡ ଅଫ୍ ଅନର ଦେବା ଲାଗି ତ୍ରିରଙ୍ଗା ପତାକାକୁ ଅର୍ଦ୍ଧନିମିତ କରାଯାଇପାରିବ ନାହିଁ ।
-ଜାତୀୟ ପତାକାର ବ୍ୟବହାର ବର୍ଦ୍ଦି ବା ପୋଷାକ ରୂପରେ ବ୍ୟବହାର କରାଯାଇପାରିବ ନାହିଁ । ଏହାସହ କୌଣସି ରୁମାଲ, ତକିଆ କିମ୍ବା ଡ୍ରେସ ଉପରେ ଛପା ଯାଇପାରିବ ନାହିଁ ।
-ତ୍ରିରଙ୍ଗାର ବ୍ୟବହାର କୌଣସି ଭବନରେ ପରଦା ଲଗାଇବା ଲାଗି ବ୍ୟବହାର ହୋଇପାରିବ ନାହିଁ ।
-କୌଣସି ପ୍ରକାର ବିଜ୍ଞାପନ, ଅଧିସୂଚନା, ଅଭିଲେଖ ତ୍ରିରଙ୍ଗା ଉପରେ ଲେଖାଯାଇପାରିବ ନାହିଁ ।
-ତ୍ରିରଙ୍ଗାକୁ କୌଣସି ଯାନ, ରେଳ, ନୌକା, ବାୟୁଯାନର ଛାତ ଆଦିକୁ ଢାଙ୍କିବାରେ ବ୍ୟବହାର ହୋଇପାରିବ ନାହିଁ ।
-କୌଣସି ଅଲଗା ଦେଶର ଜାତୀୟ ପତାକାକୁ ତ୍ରିରଙ୍ଗାର ସମାନ ଉଚ୍ଚତା କିମ୍ବା ଏହାର ଉପରେ ଉଡ଼ାଯାଇପାରିବ ନାହିଁ ।