୪ନମ୍ବର ମାର୍କେଟରେ ଆୟକର ଚଢଉ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆୟକର ଫାଙ୍କିବା ଅଭିଯୋଗରେ ଭୁବନେଶ୍ୱର ୟୁନିଟ-୪ ମାଛ ମାର୍କେଟରେ ଆୟକର ବିଭାଗ ପକ୍ଷରୁ ଚଢଉ କରାଯାଇଛି । ସେଠାରେ ଥିବା ଏନଏସ ଫିସ ଟ୍ରେଡିଙ୍ଗ ପ୍ରାଇଭେଟ ଲିମିଟେଡ ସହ ୧୩ ଦୋକାନରେ ଚଢଉ କରାଯାଇଛି । ଚଢଉ ବେଳେ ସେମାନେ ଲକ୍ଷାଧିକ ଟଙ୍କା ଆୟକର ଫାଙ୍କିଥିବା ଜଣାପଡିଛି ।

ସୂଚନା ଅନୁସାରେ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମାଛ ବ୍ୟବସାୟୀମାନେ ନଗଦ କାରବାର କରିବା ସହ ବ୍ୟାପକ ଆୟକର ଫାଙ୍କୁଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଅନୁଧ୍ୟାନ କରି ଆୟକର ବିଭାଗ ଯୁଗ୍ମ ନିର୍ଦ୍ଦେଶକ ସୁରେଶ ଶିବାନନ୍ଦମ ଓ ସହନିର୍ଦ୍ଦେଶକ ମନୋରଂଜନ ରଥଙ୍କ ତତ୍ତ୍ୱାବଧାନରେ ୬୦ଜଣ ଅଧିକାରୀଙ୍କୁ ନେଇ ଟିମ ଗଠନ କରାଯାଇଥିଲା । ଏହି ଟିମ ଗୁରୁବାର ଭୁବନେଶ୍ୱର ୟୁନିଟ-୪ ଓ ବ୍ରହ୍ମପୁର ପୁରୁଷୋତ୍ତମପୁର ଅଞ୍ଚଳରେ ଥିବା ମାଛ ମାର୍କେଟରେ ଚଢଉ କରିଛି ।

ଭୁବନେଶ୍ୱର ମାଛ ମାର୍କେଟରେ ଥିବା ଏନଏସ ଫିସ ଟ୍ରେଡିଙ୍ଗ ପ୍ରାଇଭେଟ ଲିମିଟେଡ, ବ୍ୟବସାୟୀ ଜଳ ବେହେରା, ଶ୍ୟାମସଦ ଅଲ୍ଲୀଙ୍କ ସମେତ ୧୩ଜଣ ଘର ଓ ଦୋକାନରେ ଚଢଉ କରାଯାଇଛି । ଗୁରୁବାର ବିଳମ୍ବିତ ରାତିି ପର୍ଯ୍ୟନ୍ତ ଚଢଉ ଜାରି ରହିଥିବା ବେଳେ ଏମାନେ ଲକ୍ଷାଧିକ ଟଙ୍କା ଆୟକର ଫାଙ୍କିଥିବା ଜଣାପଡିଥିଲା । ସେହିପରି ଅନ୍ୟଏକ ଟିମ ବ୍ରହ୍ମପୁର ପୁରୁଷୋତ୍ତମପୁର ଅଞ୍ଚଳରେ ଥିବା ୧୦୦ ଏକର ମାଛ ପୋଖରି ସମେତ ୧୪ଟି ଜାଗାରେ ଚଢଉ କରିଛି । ଚଢଉ ବେଳେ ବିଭାଗକୁ ବହୁ ତଥ୍ୟ ମିଳିଥିବା ବେଳେ ଆଗକୁ ଏହାକୁ ତ୍ୱରାନ୍ୱିତ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.