ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଭାରତ ସବୁଠାରୁ ଶକ୍ତିଶାଳୀ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ଲ୍ୟାଣ୍ଡ ଆଟାକ୍ ଭର୍ସନ ବା ଭୂପୃଷ୍ଠରୁ ଭୂପୃଷ୍ଠକୁ ଆକ୍ରମଣ କରୁଥିବା କ୍ଷେପଣାସ୍ତ୍ରର ସଫଳତାର ସହ ପରୀକ୍ଷଣ କରିଛି। ୨୪ ନଭେମ୍ବରରେ ସକାଳ ୧୦ଟାରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରୁ ଏହି କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଥିଲା। ଏହି ବ୍ରହ୍ମୋସ କ୍ଷେପଣାସ୍ତ୍ର ଶବ୍ଦର ତିନିଗୁଣ ବେଗରେ ଗତି କରିବା ସହ ୨୯୦ କିଲୋମିଟର ଦୂର ଲକ୍ଷ୍ୟକୁ ଭେଦ କରିପାରିବ।
ସୋସିଆଲ ମିଡିଆରେ ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ)ପାଖକୁ ଏହି ସଫଳତା ପାଇଁ ଶୁଭେଚ୍ଛା ବର୍ତ୍ତା ଛୁଟି ଆସୁଛି। ଏହି ସଫଳତା ପାଇଁ ଲୋକମାନେ ଡିଆରଡିଓର ପ୍ରତିରକ୍ଷା ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଛନ୍ତି |
ଭାରତ ଚୀନ୍ ଓ ମଧ୍ୟରେ ପ୍ରାୟ ୮-୯ ମାସ ହେବ ବିବାଦ ଲାଗି ରହିଛି। ଏହାରି ମଧ୍ୟରେ ଗତ କିଛିଦିନ ହେବ ଅନେକ କ୍ଷେପଣାସ୍ତ୍ର, ଟରପେଡୋ, ଆଣ୍ଟି-ମିସାଇଲ୍ ସିଷ୍ଟମ ଇତ୍ୟାଦି ସଫଳତାର ସହ ପରୀକ୍ଷଣ କରାଯାଇଛି। ଆଜିର ପରୀକ୍ଷଣର ଉଦ୍ଦେଶ୍ୟ ଥିଲା କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ବୃଦ୍ଧି କରିବା। ଭୂପୃଷ୍ଠରୁ ଭୂପୃଷ୍ଠକୁ ମାଡ଼ କରିବାର କ୍ଷମତା ରଖୁଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷଭେଦ କ୍ଷମତା ୪୦୦ କିଲୋମିଟରକୁ ବୃଦ୍ଧି କରାଯାଇଛି।
ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ଲମ୍ବ ୨୮ ଫୁଟ ରହିଥିବା ବେଳେ ଏହାର ଓଜନ ୩୦୦୦କିଲୋଗ୍ରାମ । ଏଥିରେ ୨୦୦କିଲୋଗ୍ରାମର ପାରମ୍ପାରିକ ଏବଂ ଆଣବିକ ଅସ୍ତ୍ର ରଖାଯାଇପାରେ। ଏହା ୩୦୦କିଲୋମିଟରରୁ ୮୦୦ କିଲୋମିଟର ପର୍ଯ୍ୟନ୍ତ ବସିଥିବା ଶତ୍ରୁଙ୍କୁ ଲକ୍ଷ୍ୟ କରି ପାରିବ। ଏହା ଘଣ୍ଟା ପ୍ରତି ୪୩୦୦ କିଲୋମିଟର ବେଗରେ ଆକ୍ରମଣ କରିପାରେ।
