୨୦୩୦ ସୁଦ୍ଧା ବିଶ୍ବର ତୃତୀୟ ବୃହତ୍ ଅର୍ଥନୀତି ହେବ ଭାରତ

0

ଭାରତ ବ୍ରିଟେନକୁ ପଛରେ ପକାଇ ପଞ୍ଚମ ବୃହତ୍ ଅର୍ଥନୀତି ସମ୍ପନ୍ନ ରାଷ୍ଟ୍ର ହୋଇପାରିଛି । ଦେଶର ମୋଟ ଘରୋଇ ଉତ୍ପାଦ(GDP) ଅଧିକ ରହିଛି । ଦ୍ରୁତ ଅଭିବୃଦ୍ଧିଶୀଳ ଭାରତ ଆସନ୍ତା ୨୦୩୦ ସୁଦ୍ଧା ବିଶ୍ବର ତୃତୀୟ ବୃହତ୍ ଅର୍ଥନୀତି ପାଲଟିବ । ଏହା ଜର୍ମାନୀ ଏବଂ ଜାପାନକୁ ଅତିକ୍ରମ କରିବ ବୋଲି ଅର୍ଥନୀତିଜ୍ଞମାନେ ପୂର୍ବାନୁମାନ କରିଛନ୍ତି ।

ପୂର୍ବତନ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଅରବିନ୍ଦ ଭିରମାନି କହିଛନ୍ତି ଯେ, ଶକ୍ତି କ୍ଷେତ୍ରରେ ଭାରତ ଆଗକୁ ବଢୁଛି । ଅଭିବୃଦ୍ଧି ହାରକୁ ଦେଖିଲେ ୨୦୨୮ରୁ ୨୦୩୦ ମଧ୍ୟରେ ଆମ ଦେଶ ବିଶ୍ବରେ ତୃତୀୟ ବୃହତ୍ ଅର୍ଥନୀତିରେ ପରିଣତ ହେବ ବୋଲି ମୋର ଅନୁମାନ ।” ଅନ୍ୟପଟେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅର୍ଥନୈତିକ ଗବେଷଣା ରିପୋର୍ଟରେ ମଧ୍ୟ ସମାନ ଆଶାଜନକ ତଥ୍ୟ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ, ୨୦୨୭ ମସିହା ସୁଦ୍ଧା ଭାରତ ଜର୍ମାନୀକୁ ଟପି ବିଶ୍ବର ଚତୁର୍ଥ ବୃହତ୍ ଅର୍ଥନୀତି ହେବ । ସେହିପରି ୨୦୨୯ ସୁଦ୍ଧା ଜାପାନକୁ ପଛରେ ପକାଇ ତୃତୀୟ ବୃହତ୍ ଅର୍ଥନୀତି ସମ୍ପନ୍ନ ରାଷ୍ଟ୍ର ଭାବେ ପରିଚୟ ହାସଲ କରିବ ।

ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟ ମାସରେ ଭାରତର ଜିଡିପି ଅଭିବୃଦ୍ଧି ୧୩.୫ ପ୍ରତିଶତ ରହିଛି । ଏହି ହାରରେ ଭାରତ ଚଳିତ ଆର୍ଥିକ ବର୍ଷରେ ସର୍ବାଧିକ ଅଭିବୃଦ୍ଧି ହାସଲକାରୀ ଦେଶରେ ପରିଣତ ହେବ । ୨୦୧୪ରେ ବିଶ୍ବ ଜିଡିପିରେ ଭାରତର ଅଂଶ ମାତ୍ର ୨.୪ ପ୍ରତିଶତ ଥିଲା । ଯାହାକି ଏବେ ୩.୫ ପ୍ରତିଶତକୁ ବୃଦ୍ଧି ପାଇଛି । ଅନ୍ୟାନ୍ୟ ପ୍ରଗତି ସୂଚକାଙ୍କରେ ମଧ୍ୟ ଭାରତ ସ୍ଥିତିରେ ସୁଧାର ଆସିଛି । ବର୍ତ୍ତମାନ ବ୍ରିଟେନକୁ ପଛରେ ପକାଇ ବିଶ୍ବରେ ଭାରତ ୫ମ ବୃହତ ଅର୍ଥନୀତିର ଦେଶ (India surpasses UK) ହୋଇଛି । ୨୦୨୧ ବର୍ଷର ଶେଷ ତ୍ରୟୋମାସରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ବ୍ରିଟେନ ଠାରୁ ଅଧିକ ରହିଛି । ଏହି ଦୃଷ୍ଟିରୁ ଭାରତ ବିଶ୍ବର ପଞ୍ଚମ ସର୍ବବୃହତ ଅର୍ଥନୀତି ହୋଇଥିବାବେଳେ, ବ୍ରିଟେନ ଏବେ ଷଷ୍ଠ ସ୍ଥାନକୁ ଖସି ଆସିଛି । ପ୍ରଥମ ଚାରି ସ୍ଥାନରେ ଆମେରିକା, ଚୀନ, ଜାପାନ ଏବଂ ଜର୍ମାନୀ ରହିଛି ।

ବଡକଥା ହେଉଛି, ଏକ ଦଶନ୍ଧି ପୂର୍ବରୁ ବୃହତ୍ ଅର୍ଥବ୍ୟବସ୍ଥା ମଧ୍ୟରେ ଭାରତ ୧୧ତମ ସ୍ଥାନରେ ରହିଥିଲା । ହେଲେ ସମ୍ପ୍ରତି ଦେଶ ଦ୍ରୁତ ଅଭିବୃଦ୍ଧି ହାସଲ କରି ବ୍ରିଟେନକୁ ପଛରେ ପକାଇଛି ଏବଂ ଟପ୍ ୫ ଅର୍ଥନୀତି ମଧ୍ୟରେ ସ୍ଥାନ ପାଇଛି । ଆସନ୍ତା ୮ ବର୍ଷ ମଧ୍ୟରେ ଏହା ତୃତୀୟ ସ୍ଥାନକୁ ଉଠିବ ବୋଲି ଅର୍ଥନୀତିଜ୍ଞମାନେ ଆଶା ପ୍ରକାଶ କରିଛନ୍ତି ।

SOA post below
Leave a comment