ଭାରତୀୟ ପ୍ରତିରକ୍ଷା ବାହିନୀର ପ୍ରସ୍ତୁତି ୧୫ ଦିନ ଯୁଦ୍ଧ ପାଇଁ ଅସ୍ତ୍ର ମହଜୁଦ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଲଦାଖ ସୀମାରେ ଚୀନ୍ ସହ ବିବାଦ ପରିପ୍ରେକ୍ଷୀରେ ଭାରତ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ବଡ ଧରଣର ଯୁଦ୍ଧ ପରିସ୍ଥିତି ଉପୁଜିଲେ ୧୫ ଦିନ ପାଇଁ ବିଭିନ୍ନ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ପ୍ରଭୃତି ମହଜୁଦ ରଖିବା ନିମନ୍ତେ ସରକାର ତିନି ବାହିନୀକୁ କ୍ଷମତା ଦେଇଛନ୍ତି। ଏହାଛଡ଼ା ସେନାକୁ ଆର୍ଥିକ କ୍ଷମତା ମଧ୍ୟ ଦିଆଯାଇଛି। ପ୍ରତିରକ୍ଷା ବାହିନୀକୁ ୫୦ ହଜାର କୋଟି ଟଙ୍କାର ଅସ୍ତ୍ର ଓ ଗୋଳାବାରୁଦ ପ୍ରଭୃତି କିଣିବା ପାଇଁ କ୍ଷମତା ମିଳିବ ବୋଲି ଆଶା କରାଯାଉଛି। ପୂର୍ବ ଲଦାଖରେ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ବର୍ତ୍ତମାନର ପରିସ୍ଥିତିକୁ ଦେଖି ଏଭଳି ପଦକ୍ଷେପ ନିଆଯାଇଛି।
ସରକାରୀ ସୂତ୍ରରୁ ପ୍ରକାଶ ଯେ ଉଭୟ ଚୀନ୍ ଓ ପାକିସ୍ତାନ ପଟୁ ଭାରତ ପ୍ରତି ବିପଦ ରହିଥିବାରୁ ଶତ୍ରୁ ସହ ଅନ୍ୟୁନ ୧୫ ଦିନ ଲଢେଇ କରିବା ଲାଗି ଅସ୍ତ୍ରଶସ୍ତ୍ର ମହଜୁଦ କରି ରଖାଯିବ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତୀୟ ପ୍ରତିରକ୍ଷା ବାହିନୀ ଆବଶ୍ୟକ ପଡିଲେ ଉଭୟ ଚୀନ୍ ଓ ପାକିସ୍ତାନର ଦୃଢ ଜବାବ ଦେଇପାରିବ। ଉରିରେ ଆତଙ୍କୀ ହମ୍ଲା ପରେ ଏଭଳି ଅସ୍ତ୍ର ମହଜୁଦ ରଖିବାର ଆବଶ୍ୟକତା ଅନୁଭବ କରାଯିବାରୁ ସରକାର ଏ ଦିଗରେ ପଦକ୍ଷେପ ନେଇଛନ୍ତି। ଇତି ମଧ୍ୟରେ ପ୍ରତିରକ୍ଷା ବାହିନୀ ଅନେକ ଯୁଦ୍ଧାସ୍ତ୍ର, କ୍ଷେପଣାସ୍ତ୍ର ପ୍ରଭୃତି କିଣିଛି। ଉଭୟ ଚୀନ୍ ଓ ପାକିସ୍ତାନକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ବାହିନୀ ଏଭଳି ପ୍ରସ୍ତୁତି କରିଛି।
ନିକଟରେ ସେନା ସ୍ୱଦେଶ ନିର୍ମିତ ସୁପରସୋନିକ୍ ମିସାଇଲ ବ୍ରହ୍ମୋସ୍ର ସଫଳ ପରୀକ୍ଷଣ କରି ନିଜର ଶକ୍ତି ବୃଦ୍ଧି କରିଛି। ଆଣ୍ଡାମାନ-ନିକୋବର ଉପକୂଳରେ ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରାଯାଇଥିଲା। ବ୍ରହ୍ମୋସର ଲ୍ୟାଣ୍ଡ ଆଟାକ୍ ଭର୍ସନର ରେଞ୍ଜ ୨୯୦ କିଲୋମିଟରରୁ ୪୦୦ କିଲୋମିଟରକୁ ବୃଦ୍ଧି କରାଯାଇଛି। ଉଲ୍ଲେଖଯୋଗ୍ୟ ଗତ ୬ ମାସ ଧରି ଭାରତ ଆଣ୍ଟିରେଡିଏସନ ମିସାଇଲ ରୁଦ୍ର-୧ ସମେତ ଅନେକ ମିସାଇଲ ପରୀକ୍ଷା କରିସାରିଲାଣି।

Leave A Reply

Your email address will not be published.