ଚାଲିଗଲେ ଷ୍ଟକ ମାର୍କେଟର ବିଗ୍ ବୁଲ ରାକେଶ ଝୁନଝୁନୱାଲା

ଚାଲିଗଲେ ଷ୍ଟକ ମାର୍କେଟର ବିଗ୍ ବୁଲ । ଭାରତର ବିଶିଷ୍ଟ ଶିଳ୍ପପତି, ଷ୍ଟକ ମାର୍କେଟ ନିବେଶକ ତଥା ଆକାଶ ଏୟାରର ପ୍ରତିଷ୍ଠାତା ରାକେଶ ଝୁନଝୁନୱାଲାଙ୍କ ଦେହାନ୍ତ ହୋଇଯାଇଛି । ଆଜି ସକାଳେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ଝୁନଝୁନୱାଲାଙ୍କୁ ୬୨ ବର୍ଷ ବୟସ ହୋଇଥିଲା । ରାକେଶ ଝୁନଝୁନୱାଲାଙ୍କୁ ଆଜି ସକାଳ ୬ଟା ୪୫ ମିନିଟ୍ ସମୟରେ ମୁମ୍ବାଇ ସ୍ଥିତ ବ୍ରିଚ୍ କାଣ୍ଡି ହସ୍ପିଟାଲକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ, ଗତ ଦୁଇ ତିନି ସପ୍ତାହ ପୂର୍ବରୁ ଷ୍ଟକ ମାର୍କେଟ ନିବେଶକ ରାକେଶ ଝୁନଝୁନୱାଲା ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ । ୧୯୬୦ ମସିହା ଜୁଲାଇ ୫ ତାରିଖରେ ଏକ ମଧ୍ୟବିତ୍ତ ପରିବାରରେ ଝୁନଝୁନୱାଲା ଜନ୍ମଗ୍ରହଣ କରିଥିଲେ । ୧୯୮୫ ମସିହାରେ ନିଜର କଲେଜ ପାଠପଢା ସମୟରେ ରାକେଶ ଝୁନଝୁନୱାଲା ପ୍ରଥମ କରି ଷ୍ଟକ ମାର୍କେଟରେ ପ୍ରବେଶ କରିଥିଲେ । ସେତେବେଳେ ସେ ମାତ୍ର ୫ ହଜାର ଟଙ୍କା ନିବେଶ କରିଥିଲେ । ହେଲେ ଫୋର୍ବସ ମାଗାଜିନ ଅନୁସାରେ ଏବେ ତାଙ୍କର ସମ୍ପତ୍ତି ମୂଲ୍ୟ ୫.୫ ବିଲିୟନ ଡଲାର ଅଟେ । ତେବେ ବାପାଙ୍କ ଠାରୁ ଷ୍ଟକ ମାର୍କେଟ ସମ୍ପର୍କରେ ଶୁଣି ସେ ଏହାପ୍ରତି ଆଗ୍ରହୀ ହୋଇଥିଲେ ବୋଲି କୁହନ୍ତି ଝୁନଝୁନୱାଲା ।
୧୯୮୬ ମସିହାରେ ଟାଟା ଟି ଶେୟାର କିଣି ଝୁନଝୁନୱାଲା ଷ୍ଟକ ବଜାରରୁ ପ୍ରଥମ ବଡ ଲାଭ କମାଇଥିଲେ । ସେ ମାତ୍ର ୪୩ ଟଙ୍କାରେ ଟାଟା ଟି’ର ୫ ହଜାର ସେୟାର କିଣିଥିଲେ । ଯାହାର ମୂଲ୍ୟ ତିନି ମାସ ମଧ୍ୟରେ ୧୪୩ ଟଙ୍କା ହୋଇଯାଇଥିଲା । ଫଳରେ ଝୁନଝୁନୱାଲା ତିନି ଗୁଣାରୁ ଅଧିକ ଲାଭ ପାଇଥିଲେ । ଏହାର ତିନି ବର୍ଷ ପରେ ସେ ବଜାରରୁ ୨୦ରୁ ୩୦ ଲକ୍ଷ ଆୟ କରିଥିଲେ । ଗତ ୭ ତାରିଖରେ ଦେଶର ସବୁଠୁ ବଡ ନିବେଶକ ଝୁନଝୁନୱାଲାଙ୍କ ଆକାଶ ଏୟାର ପ୍ରଥମ ଉଡାଣ ଭରିଥିଲା ।