ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପରୀ ହତ୍ୟାକାରୀକୁ ଯଥାଶୀଘ୍ର ଗିରଫ ଓ ଫାଶୀ ଦାବିରେ ଜିଲ୍ଲା ବିଜେପି ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହିତ ପରୀ ହତ୍ୟାକାରୀଙ୍କୁ କୃଷିମନ୍ତ୍ରୀ ଅରୁଣ ସାହୁ ସୁରକ୍ଷା ପ୍ରଦାନ କରୁଥିବା ଅଭିଯୋଗ କରି ତାଙ୍କର କୁଶପୁତ୍ତଳିକା ଦାହ କରିଛି। ପରୀର ହତ୍ୟାକାଣ୍ଡକୁ ୪ ମାସ ବିତି ଯାଇଥିଲେ ସୁଦ୍ଧା ପୁଲିସ ଦୋଷୀଙ୍କୁ ଏପର୍ଯ୍ୟନ୍ତ ଗିରଫ କରିନାହିଁ ବୋଲି ବିଜେପି କହିଛି। ଏହା ସରକାରଙ୍କ ବିଫଳତା ଓ ପୁଲିସର ନିଷ୍କ୍ରିୟତାକୁ ଦର୍ଶାଉଛି। ଅନ୍ୟପଟେ ପରୀ ହତ୍ୟାକାଣ୍ଡରେ ବାବୁଲି ନାୟକର ସମ୍ପୃକ୍ତି ଥିଲେ ସୁଦ୍ଧା ତା’ ମୁଣ୍ଡରେ ଅରୁଣ ସାହୁଙ୍କ ହାତ ଥିବାରୁ ପୁଲିସ ଗିରଫ କରୁନାହିଁ ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ତେଣୁ ରାଜ୍ୟ ସରକାର ଅରୁଣ ସାହୁଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିବା ସହ ଦୋଷୀଙ୍କୁ ଶୀଘ୍ର ଗିରଫ କରି ପରୀକୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଜିଲ୍ଲା ବିଜେପି ପକ୍ଷରୁ ଦାବି କରାଯାଇଛି। ଏହି ସମୟରେ ବିଜେପିର ବରିଷ୍ଠ ସଦସ୍ୟ ଦିନେଶ ଜୈନ, ଜିଲ୍ଲା ବିଜେପି ଓବିସି ମୋର୍ଚା ସଭାପତି ଦୀପକ ପଟେଲ, ଦିନେଶ ଉପାଧ୍ୟାୟ, ଗୋପାଲ ପଟେଲ, ଡିଲେଶ୍ୱର ରାଓ ଓ ନୀଳାମ୍ବର ଦଣ୍ଡସେନା ପ୍ରମୁଖଙ୍କ ସହ ବିଜେପି କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।