କଂଗ୍ରେସକୁ ଲୋକଙ୍କ ପାଖରେ ପହଞ୍ଚେଇବାକୁ ସିଟି ବସରେ ଗଲେ ଜିତେନ୍ଦ୍ର ସିଂହ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶାର କଂଗ୍ରେସ ପ୍ରଭାରୀ ଦାୟିତ୍ବ ନେବାପରେ ଜିତେନ୍ଦ୍ର ସିଂ ରାଜ୍ୟ କଂଗ୍ରେସ ର ସ୍ଥିତିକୁ ପରଖିବା ପାଇଁ ରାଜଧାନୀର ସାଧାରଣ ଜନତାଙ୍କ ସହ ସିଟି ବସ ରେ କଲେ ଆଲୋଚନା । ପ୍ରଭାରୀ ଜିତେନ୍ଦ୍ର ସିଂ ରାଜ୍ୟ କଂଗ୍ରେସ ମଧ୍ୟରେ ଥିବା ଗୋଷ୍ଠି କନ୍ଦଳ ରୁ ଉର୍ଦ୍ଧକୁ ଯାଇ ସାଧାରଣ ଜନତାଙ୍କ ମନକୁ ପରଖିଛନ୍ତି । ଯାହାକି ପୂର୍ବରୁ କୌଣସି ପ୍ରଭାରୀ ବା ରାଜ୍ୟ ନେତାଙ୍କ ଠାରୁ ଦେଖିବାକୁ ମିଳିନଥିଲା । ଯେଉଁଥିପାଇଁ ସେ ବିଳାସପୂର୍ଣ ଗାଡି ଛାଡ଼ି ସାଧାରଣ ଲୋକ ଙ୍କ ସହ ସିଟି ବସ ଯୋଗେ ଯାତ୍ରା କରିବା ସହ ରାଜ୍ୟ କଂଗ୍ରେସ ପ୍ରତି ସେମାନଙ୍କ ମତ ବିଷୟରେ ଆଲୋଚନା କରିଥିଲେ । ସାଧାରଣ ଲୋକ ଜିତେନ୍ଦ୍ର ଙ୍କୁ ସିଟି ବସରେ ଦେଖି ଆଶ୍ଚର୍ଯ୍ୟ ହେବାସହ ଖୁସି ମଧ୍ୟ ହୋଇଥିଲେ । ପୂର୍ବରୁ ଜିତେନ୍ଦ୍ର ଉପା ସରକାର ସମୟରେ ପ୍ରତିରକ୍ଷା ଏବଂ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଭାବେ ସ୍ୱାଧୀନ ଦାୟିତ୍ୱ ତୁଲାଇଛନ୍ତି ।

ସୂଚନା ଅନୁଯାୟୀ, ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ ବର୍ତ୍ତମାନ ଓଡ଼ିଶା ଗ୍ରସ୍ତ ରେ ଅଛନ୍ତି । ସେ ନୟାପଲ୍ଲୀସ୍ଥିତ ହୋଟେଲ୍ କ୍ରାଉନରେ ରହୁଛନ୍ତି । କଂଗ୍ରେସ ଭବନରେ ଚାଲିଥିବା ବୈଠକରେ ଯୋଗଦେବା ପାଇଁ ସକାଳ ୯ଟାରେ ସେ ହୋଟେଲ ରୁ ବାହାରିଥିଲେ । ତାଙ୍କୁ କଂଗ୍ରେସ ଭବନକୁ ନେବାପାଇଁ ଗାଡିମଧ୍ୟ ଆସିଥିଲା । କିନ୍ତୁ ଜିତେନ୍ଦ୍ର ଗାଡ଼ି ଫେରାଇ ଦେଇଥିଲେ । ପରେ ସେ ହୋଟେଲ ବାହାରକୁ ଆସି ବସ କୁ ଅପେକ୍ଷା କରିଥିଲେ । କିଛିସମୟ ପରେ ସିଟି ବସ ଆସିବାରୁ ଜିତେନ୍ଦ୍ର ସେଥିରେ ଚଢିଥିଲେ । ବସରେ ଥିବା କିଛଲୋକ ତାଙ୍କୁ ଚିହ୍ନି ପାରିଥିଲେ । ଜିତେନ୍ଦ୍ର ଲୋକଙ୍କ ସହ ଖୁବ ଶୀଘ୍ର ମିଶିଯାଇଥିଲେ । ସେ କେନ୍ଦ୍ରର ପୂର୍ବତନ ମନ୍ତ୍ରୀ ହୋଇମଧ୍ୟ ସାଧାରଣ ଲୋକ ସହ ସହଜରେ ମିଶି ପ୍ରଦେଶ କଂଗ୍ରେସ ର ସ୍ଥିତି ଓ ଲୋକଙ୍କ କଂଗ୍ରେସ ପ୍ରତି ମନଭାବକୁ ପରଖି ଥିଲେ । ସେମାନେ ରାଜ୍ୟ କଂଗ୍ରେସ ଠାରୁ କଣ ଆଶା କରନ୍ତି ବୋଲି ମଧ୍ୟ ପଚାରି ବୁଝିଥିଲେ । ରାଜ୍ୟରେ କଂଗ୍ରେସ ସ୍ଥିତି ସୁଧାରିବା ପାଇଁ ଜିତେନ୍ଦ୍ର ଙ୍କ ଏହି ପ୍ରୟାସ ରାଜଧାନୀବାସୀଙ୍କ ମନକୁ ଛୁଇଁଥିବା ସାଧାରଣରେ ଚର୍ଚ୍ଚା ହେଉଛି । ପ୍ରାର୍ଥୀ ତାଲିକା ଠାରୁ ଆରମ୍ଭ କରି ସଙ୍ଗଠନ ସଜାଡିବା ପାଇଁ କଂଗ୍ରେସର ଜୋରଦାର ଉଦ୍ୟମ ଚାଲିଛି । ୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି କଂଗ୍ରେସ ଭବନରେ ପ୍ରଦେଶ ନିର୍ବାଚନ କମିଟିର ଦ୍ୱିତୀୟ ବୈଠକ ବସିଥିଲା । ଏହି ବୈଠକ ପୂର୍ବରୁ ଜିତେନ୍ଦ୍ରଙ୍କ ଲୋକଙ୍କ ପାଖକୁ ଯିବା ଏହି ପ୍ରଚେଷ୍ଟା ଯୁବ କଂଗ୍ରେସ ନେତାଙ୍କ ମନରେ ନୂତନ ଆଶା ସଞ୍ଚାର କରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.