ବଟି ମାଗି ସାମ୍ବାଦିକ ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତରପ୍ରଦେଶର ଜଣେ ଗାଡି ମାଲିକଙ୍କୁ ଲକ୍ଷେ ଟଙ୍କା ବଟି ମାଗି ଝାରସୁଗୁଡା ଜିଲ୍ଲା ବେଲପାହାଡ ଅଞ୍ଚଳର ଜଣେ ବରିଷ୍ଠ ସାମ୍ବାଦିକ ଓ ତାଙ୍କର ଜଣେ ସହଯୋଗୀ ଗିରଫ ହୋଇଛନ୍ତି। ଗିରଫ ସାମ୍ବାଦିକ ଜଣକ ଏକ ଦୈନିକ ଖବର କାଗଜ ଓ ଏକ ପୋର୍ଟାଲରେ ରିପୋର୍ଟର ଭାବରେ କାର୍ଯ୍ୟ କରନ୍ତି। ଗିରଫ ସାମ୍ବାଦିକ ଜଣକ ହେଉଛନ୍ତି ଜୟକୃଷ୍ଣ ମହାପାତ୍ର(୭୦) ଓ ତାଙ୍କର ସହଯୋଗୀ ଜାହାଜପଡାର ହୃଦାନନ୍ଦ ଭୋଇ (୪୮) ବୋଲି ପୁଲିସ ସୂଚନା ଦେଇଛି।

ସୂଚନା ଅନୁଯାୟୀ, ପୁଷ୍ପଲତା ଗୁପ୍ତା ଏବଂ ତାଙ୍କ ସ୍ୱାମୀ ବ୍ରଜରାଜନଗର ଅଞ୍ଚଳରେ ରହି ବ୍ୟବସାୟ କରୁଥିବାବେଳେ ସେମାନଙ୍କର ୪ଟି ଟ୍ରକ ଓ ଗୋଟିଏ ସ୍କୋର୍ପିଓ ଅଛି। ସ୍ୱାମୀଙ୍କ ଦେହାନ୍ତ ପରେ ପୁଷ୍ପଲତା ଉତ୍ତରପ୍ରଦେଶ ଫେରିଯାଇଥିବାବେଳେ ତାଙ୍କ ଦିଅର ଗାଡିଗୁଡିକୁ ନିଜ ଅକ୍ତିଆରରେ କରି ନେଇଥିଲେ।
ଏହା ବିରୋଧରେ ପୁଷ୍ପଲତା ଓଡିଶା ଡିଜିପିଙ୍କ ନିକଟରେ ଏକ ପିଟିସନ ଫାଇଲ କରି ଗାଡି ଗୁଡିକୁ ତାଙ୍କୁ ପ୍ରଦାନ କରିବା ପାଇଁ ଅନୁରୋଧ କରିଥିଲେ। ଏନେଇ ଡିଜିପି ଝାରସୁଗୁଡା ଏସପିଙ୍କୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଝାରସୁଗୁଡା ଏସପିଙ୍କ ନିର୍ଦ୍ଦେଶରେ ବ୍ରଜରାଜନଗର ଏସଡିପିଓ ଓ ଓରିଏଂଟ ଆଇଆଇସି ତଦନ୍ତ କରି ଗାଡିଗୁଡିକୁ ସିଜ କରି ଥାନାରେ ରଖିଥିଲେ। ପୁଷ୍ପଲତାଙ୍କୁ ଲିଗାଲ ହେୟାର ସାର୍ଟିଫିକେଟ ଦେଖାଇ ଗାଡି ଗୁଡିକୁ ନେବା ପାଇଁ କହିଥିଲେ। ଏହାପରେ ପୁଷ୍ପଲତାଙ୍କ ଭିଣୋଇ ଅନୀଲ ଗୁପ୍ତା ଗତ ସେପ୍ଟେମ୍ବର ୨୫ ତାରିଖରେ ଲିଗାଲ ହେୟାର ସାର୍ଟିଫିକେଟ ନେଇ ଝାରସୁଗୁଡା ଆସିଥିଲେ। ସେଠାରେ ସେ ଝାରସୁଗୁଡାର ଜଣେ ବ୍ୟକ୍ତିଙ୍କ ଦ୍ୱାରା ବେଲପାହାଡ ଅଞ୍ଚଳର ସାମ୍ବାଦିକ ଜୟକୃଷ୍ଣ ମହାପାତ୍ରଙ୍କ ସହ ପରିଚିତ ହୋଇଥିଲେ। ଜୟ କୃଷ୍ଣ ମହାପାତ୍ର ତାଙ୍କୁ ଓରିଏଂଟ ଥାନା ନେଇ ଲିଗାଲ ହେୟାର ସାର୍ଟଫିକେଟ ଦେଖାଇ ଗାଡି ଗୁଡିକୁ ବେଲପାହାଡ ଆଣି ଏକ ଗ୍ୟାରେଜରେ ଦେଇଥିଲେ ଏବଂ ଅନୀଲଙ୍କୁ ଏକ ହୋଟେଲରେ ରଖିଥିଲେ। ଏହାପରେ ସେଇଦିନ ସନ୍ଧ୍ୟାରେ ଜୟକୃଷ୍ଣ, ହୃଦାନନ୍ଦ ଓ ତାଙ୍କର କିଛି ସହଯୋଗୀ ଅନୀଲ ରହିଥିବା ହୋଟେଲକୁ ଯାଇ ତାଙ୍କୁ ଗୋମାଡେରାସ୍ଥିତ ଜଗନ୍ନାଥ ମନ୍ଦିରର ସମ୍ମୁଖକୁ ଆଣି ୧ ଲକ୍ଷ ଟଙ୍କା ମାଗିଥିଲେ।

ଏଥିରେ ଅନୀଲ ଅରାଜି ହେବାରୁ ସେମାନେ ତାଙ୍କର ୨ଟି ଟ୍ରକ ଜୋରଜବରଦସ୍ତ ନେଇଯାଇଥିଲେ। ତାଙ୍କୁ ଜୀବନରୁ ମାରି ଦେବାପାଇଁ ଧମକ ଦେଇଥିଲେ। ଅନୀଲ ଭୟରେ ଉତ୍ତରପ୍ରଦେଶ ଫେରିଯାଇଥିବାବେଳେ ଅଭିଯୁକ୍ତମାନେ ତାଙ୍କୁ ଫୋନ କରି ଟଙ୍କା ମାଗିଥିଲେ। ଏଥିରେ ସେ ଭୟଭୀତ ହୋଇ କିଛିଦିନ ଓଡିଶା ଆସିନଥିବାବେଳେ ଗତ ୧୭ ତାରିଖରେ ବେଲପାହାଡ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଆଜି ପୁଲିସ ଜୟକୃଷ୍ଣକୁୁ ଜୁଜୁମୁରା ଓ ହୃଦାନନ୍ଦକୁ ସୁନ୍ଦରଗଡରୁ କାବୁ କରିଥିଲା। ଏହାସହ ବେଲପାହାଡ ଥାନାକୁ ଆଣି ପଚରାଉଚୁରା କରି କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.