ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ଜଷ୍ଟିସ ଗୋଗୋଇ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟସଭାର ସାଂସଦ ଭାବେ ଦେଶର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଆଜି ଶପଥଗ୍ରହଣ କରିଛନ୍ତି। ଜଷ୍ଟିସ ଗୋଗୋଇଙ୍କୁ ରାଜ୍ୟସଭାକୁ ରାଷ୍ଟ୍ରପତି ମନୋନୀତ କରିଥିଲେ। ଆଜି ଜଷ୍ଟିସ ଗୋଗୋଇ ଶପଥ ନେବାବେଳେ ଦେଖିବାକୁ ମିଳିଥିଲା ବିରୋଧ ପ୍ରଦର୍ଶନ। ଗୋଟିଏ ପଟେ ଜଷ୍ଟିସ୍‌ ଗୋଗୋଇ ରାଜ୍ୟସଭାର ସାଂସଦ ଭାବେ ଶପଥ ନେଉଥିବା ବେଳେ ଅନ୍ୟପଟେ ଏହାକୁ ବିରୋଧ କରି ବିରୋଧୀ ଦଳର ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ।

କଂଗ୍ରେସ ଓ ବିଏସପିର ସାଂସଦମାନେ ପ୍ରଥମେ ଗୃହ ମଧ୍ୟରେ ଜଷ୍ଟିସ୍‌ ଗୋଗୋଇଙ୍କ ଶପଥ ପାଠକୁ ବିରୋଧ କରିଥିଲେ। ଏହାପରେ ସିପିଆଇ, ଡିଏମକେ ଓ ଏମଡିଏମକେ ସାଂସଦମାନେ ଏହାକୁ ସମର୍ଥନ କରିଥିଲେ। ଏହି ହୋହାଲ୍ଲା ମଧ୍ୟରେ ଜଷ୍ଟିସ ଗୋଗୋଇ ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲେ।

ସୂଚନାଯୋଗ୍ୟ, ଜଷ୍ଟିସ ଗୋଗୋଇ ୨୦୧୯ ନଭେମ୍ବର ମାସରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ପଦରୁ ଅବସର ନେଇଥିଲେ। ଏହାର ୪ ମାସ ପରେ ଅର୍ଥାତ ମାର୍ଚ୍ଚ ୧୬ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରିଥିଲେ। ତେବେ ଜଣେ ପୂର୍ବତନ ପ୍ରଧାନ ବିଚାରପତିଙ୍କୁ ରାଜ୍ୟସଭାକୁ ମନୋନୀତ କରାଯିବା ଓ ଏହାକୁ ସେ ଆଦରର ସହ ଗ୍ରହଣ କରିବାକୁ ଅନେକ ନାପସନ୍ଦ କରିଥିଲେ।

Leave A Reply

Your email address will not be published.