ପବିତ୍ର ଓଡ଼ିଶା ଦିବସ ଅବସରରେ ଚାଷୀ ଭାଇମାନଙ୍କୁ କାଳିଆ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

0

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପବିତ୍ର ଓଡ଼ିଶା ଦିବସ ଅବସରରେ ରାଜ୍ୟର ଚାଷୀ ଭାଇ ଭଉଣୀମାନଙ୍କୁ କାଳିଆ ସହାୟତା ପ୍ରଦାନ କରିଛନ୍ତି । ଚଳିତ ଖରିଫ ଋତୁରେ ଚାଷ କାମ ପାଇଁ ଏହି ସହାୟତା ଦିଆଯାଇଛି । ଝାରସୁଗୁଡ଼ା ବ୍ୟତୀତ ରାଜ୍ୟର ସବୁ ଅଞ୍ଚଳର କୃଷକମାନେ ଏହି ସହାୟତା ପାଇଛନ୍ତି ।

କାଳିଆ ସହାୟତା ଅର୍ଥ ପ୍ରଦାନ ଯୋଗୁ ରାଜ୍ୟର ପ୍ରାୟ ୪୩ ଲକ୍ଷରୁ ଅଧିକ ଚାଷର ଉପକୃତ ହେବେ । ଏହି ଚାଷୀଙ୍କ ଖାତାକୁ ୮୭୭ କୋଟି ଟଙ୍କା ଯୋଗାଇ ଦିଆଯିବ । ଏହି ସହାୟତା ଘୋଷଣା ନଜେ ମୁଖ୍ୟମନ୍ତ୍ରୀ କରିଛନ୍ତି । ପବିତ୍ର ଉତ୍କଳ ଦିବସ ଅବସରରେ ଚାଷୀଭାଇଙ୍କୁ ଅଭିନନ୍ଦନ ଜଣାଇବା ସହ ଏହି ସହାୟତା ରାଶି ପ୍ରଦାନ କରି ନୂଆ ଆର୍ଥିକ ବର୍ଷର ଆରମ୍ଭ କଲୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଚାଷର ଉନ୍ନତି ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ପୁଷ୍ଟିଭିତ୍ତିକ ଶସ୍ୟର ଉତ୍ପାଦନ ବୃଦ୍ଧି ତଥା ଚାଷୀଙ୍କ ରୋଜଗାରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ଅନେକ ଶସ୍ୟ ଭିତ୍ତିକ ମିଶନ କାର୍ଯ୍ୟକାରୀ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କୃଷିରେ ଅଧିକ ମେସିନ ଓ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରିବା ପାଇଁ ପରାମର୍ଶ ବି ଦେଇଥିଲେ ।

କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ, କାଳିଆ ଯୋଜନା ଚାଷୀଙ୍କୁ ଆତ୍ମନିର୍ଭର କରିଛି । ଚାଷୀଙ୍କୁ ଋଣରୁ ମୁକ୍ତି ଦେଇଛି । ଏହି ଅବରସରରେ ବିଭିନ୍ନ ଅଞ୍ଚଳର ଚାଷୀମାନେ ନିଜ ନିଜ ବକ୍ତବ୍ୟ ରଖିଥିଲେ ।

ଫାଇଭ-ଟି ସଚିବ ଭି କେ ପଣ୍ଡିଆନ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ କାଳିଆ ଯୋଜନାର ଉପଦେଷ୍ଟାମାନେ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ । କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ସ୍ବାଗତ ଭାଷଣ ଦେଇଥିଲେ ।

SOA post below
Leave a comment