କମଳାନେହେରୁ ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶିବିର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର କମଳାନେହେରୁ ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ ଏକ ସାତ ଦିବସୀୟ ସ୍ୱତନ୍ତ୍ର ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । କମଳାନେହେରୁ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ମିଶ୍ର ଏହି ସେବା ଶିବିର ର ଉଦଘାଟନ କରିଥିଲେ । ଭୁବନେଶ୍ୱର ଏକ ନମ୍ବର ଅଞ୍ଚଳରେ ଅବସ୍ଥିତ ମା’ ମଙ୍ଗଳା ବସ୍ତି, ଜଗନ୍ନାଥ ବସ୍ତି, ଜିଇଡି ବସ୍ତିରେ ସ୍ବେଚ୍ଛାସେବୀମାନେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ସହିତ, ବିଭିନ୍ନ ସଚେତନଧର୍ମୀ ପଥପ୍ରାନ୍ତ ନାଟକ, ବସ୍ତି ପରିକ୍ରମା କରି ସ୍ଲୋଗାନ, ପ୍ଳାକାର୍ଡ, ପ୍ରଚାର ପତ୍ର ମାଧ୍ୟମରେ ପରିବେଶ ସଚେତନତା, ମହିଳା ହିଂସା, ନିଶା ନିବାରଣ, ଯକ୍ଷ୍ମା ନିରାକରଣ ବିଷୟରେ ସଚେତନ କରାଇଥିଲେ । ସେହିପରି ମହାବିଦ୍ୟାଳୟ ପରିସର ଓ ନାଳ ସଫେଇ କାର୍ଯ୍ୟ ମଧ୍ଯ କରାଯାଇଥିଲା ।

ଏହି ଶିବିରରେ ୪୪ଜଣ ଶିବିରାର୍ଥୀ ଯୋଗଦାନ କରିଥିଲେ । ତା ୩୧.୦୧.୨୦୨୦ରିଖ ରୁ ତା ୦୬.୦୨.୨୦୨୦ରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଶିବିରରେ ବିଭିନ୍ନ ବସ୍ତିର ସାମାଜିକ ଓ ଅର୍ଥନୈତିକ ସର୍ଭେ କରାଯିବା ସହ ପ୍ରଶିକ୍ଷଣ କରାଯାଇଥିଲା ।

ଉଦଯାପନୀ ଉତ୍ସବରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ମିଶ୍ର ଓ ଉପାଧ୍ୟକ୍ଷ ଡକ୍ଟର ସି. ଲକ୍ଷ୍ମୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ବେଚ୍ଛାସେବୀମାନେ ଶିବିର ର କାର୍ଯ୍ୟ ବିବରଣୀ ପ୍ରଦାନ କରିଥିଲେ ଏବଂ ସେମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ପରିଶେଷରେ ସ୍ବେଚ୍ଛାସେବୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

ଏହି ଶିବିରକୁ ମହାବିଦ୍ୟାଳୟରେ ଏନଏସର କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ସୁଶାନ୍ତ କୁମାର ପଟ୍ଟନାୟକ ଓ ଡକ୍ଟର ବନୀତା ମହାନ୍ତି ସୁଚାରୁରୂପେ ପରିଚାଳନା କରିଥିଲେ । ଡକ୍ଟର ଭାନୁପ୍ରିୟା ଦାସ ଓ ଶ୍ରୀମତୀ ସବିତା ସାମଲ ଏହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ ।

Leave A Reply

Your email address will not be published.