ମଦ ଦୋକାନ ପାଇଁ ମହିଳା ସରପଞ୍ଚଙ୍କୁ ମାଡ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଅଙ୍ଗୁଳାଇ ବଜାରରେ ଥିବା ବିଦେଶୀ ମଦ ଦୋକାନକୁ ସ୍ଥାନାନ୍ତର କରିବା ନେଇ ଦାବି କରିବାରୁ ସ୍ଥାନୀୟ ମହିଳା ସରପଞ୍ଚ ଓ ତାଙ୍କ ସ୍ବାମୀଙ୍କୁ ମଦ ଦୋକାନ କର୍ମଚାରୀ ମାଡ଼ ମାରିଥିବା ଜଣାପଡିଛି।

ଘଟଣା କ୍ରମେ

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଅଙ୍ଗୁଳାଇ ବଜାରରେ ଥିବା ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିଲା। ମାତ୍ର ଏହାର କୌଣସି ସୁଫଳ ନ ମିଳିବାରୁ ବୁଧବାର ଅଙ୍ଗୁଳାଇ ସରପଞ୍ଚ ଦୁର୍ଗାବତୀ ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ମହିଳା ଅଙ୍ଗୁଳାଇ-ଓଝତ ରାସ୍ତା ଅବରୋଧ କରିଥିଲେ। ପ୍ରଶାସନ ପହଞ୍ଚିବାରେ ବିଳମ୍ବ ହେବାରୁ ଉତ୍ତ୍ୟକ୍ତ ମହିଳାମାନେ ମଦଦୋକାନକୁ ଭଙ୍ଗାରୁଜା କରିଥିଲେ। କେନ୍ଦ୍ରାପଡା ଜିଲ୍ଲା ଉପଖଣ୍ଡ ପୋଲିସ ଅଧିକାରୀ କାର୍ତ୍ତିକ ମଳିକ ଓ ମାର୍ଶାଘାଇ ତହସିଲଦାର ଚନ୍ଦ୍ରକାନ୍ତ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ମହିଳାମାନଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ବିବାଦ ସମାଧାନ ନ ହେବା ପର୍ଯ୍ୟନ୍ତ ମଦଦୋକାନ ବନ୍ଦ ରହିବ ବୋଲି ଉଭୟ ପକ୍ଷକୁ ଲିଖିତ ନିର୍ଦ୍ଦେଶ ଦେବା ପରେ ମହିଳାମାନେ ଆନ୍ଦୋଳନରୁ ଓହରି ଯାଇଥିଲେ। ମାତ୍ର ଗୁରୁବାର ମଦ ଦୋକାନ ପୂର୍ବଭଳି ଖୋଲା ଯାଇଥିଲା। ଯାହାକୁ ନେଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପ୍ରତିକ୍ରିୟାଶୀଳ ହୋଇ ବ୍ୟାପକ ଭଙ୍ଗାରୁଜା ସହ ପୋଡ଼ାଜଳା କରିଛନ୍ତି। ତେବେ ମଦ ଦୋକାନ କର୍ମଚାରୀମାନେ ମହିଳା ସରପଞ୍ଚଙ୍କୁ ଟଣାଓଟରା କରିବା ସହ ତାଙ୍କ ସ୍ବାମୀଙ୍କୁ ମାଡ ମାରି ଆହତ କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ମଦ ଦୋକାନ ମାଲିକ ଓ ଜଣେ କର୍ମଚାରୀଙ୍କୁ ମାଡ଼ ମାରିବା ସହ ୨ଟି ଗାଡ଼ି ପୋଡ଼ି ଦେଇଛନ୍ତି।

Sikshaya
Leave A Reply

Your email address will not be published.