ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ନିୟମଗିରିର ସକଟା ଗାଁ ନିକଟରେ ଗତକାଲି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା । ଏଥିରେ ଜଣେ ଡିଭିଏଫ୍ ଯବାନ ସହିଦ ହୋଇଛନ୍ତି।
ଗତକାଲି ସନ୍ଧ୍ୟାରେ ଡିଭିଏଫ୍ ପକ୍ଷରୁ କମ୍ବିଂ ଅପରେସନ୍ ଚାଲିଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ଏଥିରେ ଡିଭିଏଫ୍ ଯବାନ ସଂଜୟ ମାଝି ଗୁରୁତର ଆହତ ହୋଇଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ସହିଦ ଯବାନଙ୍କ ଘର ରାୟଗଡ଼ା ଆମ୍ବଦଳା ଅଞ୍ଚଳରେ ବୋଲି ରାୟଗଡ଼ା ଏସ୍ପି ସୂଚନା ଦେଇଛନ୍ତି। ସହିଦ ଯବାନଙ୍କ ମୃତଦେହକୁ ଏବେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ରଖାଯାଇଛି। ସେଠାରୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ମୃତଦେହକୁ ନିଆଯାଇ ଗାର୍ଡ ଅଫ୍ ଅନର୍ ଦିଆଯିବ। ଏହାପରେ ଜନ୍ମମାଟିକୁ ଫେରିବ ସହିଦଙ୍କ ମରଶରୀର।