ଗୋଡ଼ାଇ ଗୋଡ଼ାଇ ପିଟିଲା ପୋଲିସ

0

ଓଡିଶା ଫାଷ୍ଟ(ବ୍ୟୁରୋ): ଦୀର୍ଘ ଦିନରୁ ରାଜ୍ୟ ସରକାରଙ୍କୁ ଧମକ ଦେଇଅସୁଥିବା ଆନ୍ଦୋଳନକାରୀ ଶିକ୍ଷକ ସଂଘ କୁ ଜବାବରେ ଲାଠି ମାଡ଼ ଦେଇଛନ୍ତି ସରକାର। ମାଟ୍ରିକ ମୂଲ୍ୟାୟନକୁ ବିରୋଧ କରି ରାଜଧାନୀର କ୍ୟାପିଟାଲ ହାଇସ୍କୁଲରେ ହୋଇଥିବା ସେଣ୍ଟର ସମ୍ମୁଖରେ ଆନ୍ଦୋଳନକାରୀ ଶିକ୍ଷକ ସଂଘ ପକ୍ଷରୁ ବିରୋଧ କରାଯାଉଥିବା ସମୟରେ ଆନ୍ଦୋଳନକାରୀ ଶିକ୍ଷକଙ୍କ ଉପରେ ଲାଠି ମାଡ଼ କରି ଘଉଡ଼ାଇଥିଲା ପୋଲିସ । 

ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ମାଟ୍ରିକ ଖାତା ମୂଲ୍ୟାୟନକୁ ନେଇ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ମୂଲ୍ୟାୟନ କେନ୍ଦ୍ର ଭିତରକୁ ଶିକ୍ଷକଙ୍କୁ ଛାଡୁ ନାହାନ୍ତି ଆନ୍ଦୋଳନରତ ଶିକ୍ଷକ। କିଛି ସ୍ଥାନରେ ସେଣ୍ଟରର ମୁଖ୍ୟ ଗେଟରେ ତାଲା ପକାଇ ଆନ୍ଦୋଳନରତ ଶିକ୍ଷକମାନେ ମୂଲ୍ୟାୟନ କରିବାକୁ ଆସୁଥିବା ଶିକ୍ଷକଙ୍କୁ ବିରୋଧକରି ଅଟକାଇ ରଖୁଛନ୍ତି। ଦାବି ପୂରଣ ନହେବା ଯାଏଁ ମାଟ୍ରିକ ଖାତା ଦେଖିବେ ନାହିଁ ବୋଲି ଆନ୍ଦୋଳନରତ ଶିକ୍ଷକ ନିଷତ୍ତି ନେଇଛନ୍ତି।

ଆଜିଠାରୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ ହେବାକୁ ସ୍ଥିର ହୋଇଥିଲା। କିନ୍ତୁ ଖାତା ଦେଖାକୁ ବର୍ଜନ କରିବେ ବୋଲି ସ୍କୁଲ ଓ କଲେଜ ଶିକ୍ଷକ ମିଳିତ ମଞ୍ଚ ପୂର୍ବରୁ ଚେତାବନୀ ଦେଇଥିଲେ। ଏହାସହ ଆଜି ରାଜ୍ୟର ସମସ୍ତ ମୂଲ୍ୟାୟନ କେନ୍ଦ୍ର ସମ୍ମୁଖରେ ‘ସ୍କୁଲ ଓ କଲେଜ ଶିକ୍ଷକ ମିଳିତ ମଞ୍ଚ’ ପକ୍ଷରୁ ଧାରଣା ଦିଆଯାଇଛି। ସତ୍ୟପାଠ ଉଚ୍ଛେଦ ସହ ଅନ୍ୟ ଦାବି ପୂରଣ ପାଇଁ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରାଯାଇ ନଥିବାରୁ ମଞ୍ଚ ଏଭଳି ନିଷ୍ପତ୍ତି ନେଇଥିବା ସ୍ପଷ୍ଟ କରିଛି ଶିକ୍ଷକ ସଂଘ।

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି ରାଜ୍ୟ ସରକାର ଏବେ ବି ବିଶ୍ୱାସ ରଖିଛନ୍ତି ଯେ ଶିକ୍ଷକମାନେ ସହଯୋଗ କରିବେ। ସହଯୋଗ ନକଲେ ସରକାରଙ୍କ ପାଖରେ ବିକଳ୍ପ ବ୍ୟବସ୍ଥା ଅଛି। ଅନ୍ୟ ଶିକ୍ଷକ ଖାତା ଦେଖିବେ। ଠିକ୍ ସମୟରେ ଫଳ ବାହାରିବ। କାର୍ଯ୍ୟାନୁଷ୍ଠାନ ନେଇ ପରବର୍ତ୍ତୀ ସମୟରେ ସରକାର ଚିନ୍ତା କରିବେ।”

Leave A Reply

Your email address will not be published.