ଗିରଫ ହେଲେ ପଣ୍ଡା ଇନ୍‌ମ୍ଫ୍ରାର ଏମ୍‌ଡି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଭରବ୍ରିଜ୍‌ର ସେଣ୍ଟ୍ରିଂ ଭୁଶୁଡ଼ିବା ଘଟଣା, ପଣ୍ଡା ଇନ୍‌ମ୍ଫ୍ରାର ଏମ୍‌ଡି ପ୍ରତାପ କିଶୋର ପଣ୍ଡାଙ୍କୁ ଗିରଫ କଲା ଲକ୍ଷ୍ମୀସାଗର ଥାନା ପୋଲିସ, ପୋଲିସ କମିସନର ୱାଇ.ବି. ଖୁରାନିଆଙ୍କ ସୂଚନା। ବମିଖାଲ ଓଭର ବ୍ରିଜ୍‌ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଘଟଣା କ୍ରମେ

ଭୁବନେଶ୍ୱରର ବମିଖାଲରେ ନିର୍ମାଣାଧୀନ ପୋଲର ସେଣ୍ଟ୍ରିଙ୍ଗ ଭୁଶୁଡ଼ି ପଡ଼ିବାରୁ ସୁନ୍ଦରଗଡ଼ର ଲାଠିକଟା ଅଞ୍ଚଳର ଅଜୟ ଭୌମିକ(୩୮)ନାମକ ଜଣେ ଶ୍ରମିକର ମୃତ୍ୟୁ ହୋଇଥିବା ବେଳେ ଆନନ୍ଦ ନାୟକ(୨୩) ଗୁରୁତର ଆହତ ହୋଇଛନ୍ତି। ଆହତ ଆନନ୍ଦଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି।

ଗୁରବାର ରାତି ୯ଟା ବେଳେ ପୋଲର ଶେଷ ପର୍ଯ୍ୟାୟ ସ୍ଲାପ ଢଳେଇ ପଡିବା ଲାଗି ସେଣ୍ଟ୍ରିଙ୍ଗ୍ ବନ୍ଧା ଯାଉଥିଲା । ସେଣ୍ଟ୍ରିଙ୍ଗ୍ ବନ୍ଧା ପ୍ରାୟ ଶେଷ ହୋଇଥିବା ବେଳେ ଦୁଇ ଜଣ ଶ୍ରମିକ ଲୁହାରେଲିଂ ତଳେ କାମ କରୁଥିଲେ । ସେଣ୍ଟ୍ରିଂରେ ଲାଗିଥିବା ଲୁହା ଖୁଣ୍ଟ ହଠାତ ଦବି ଯାଇଥିଲା । ଫଳରେ ପ୍ରାୟ ୧୦ କୁଇଣ୍ଟାଲ ଓଜନର ଲୁହା ସେଣ୍ଟ୍ରିଙ୍ଗ୍ ଖସିପଡିବାରୁ କାର୍ଯ୍ୟରତ ଦୁଇ ଶ୍ରମିକ ଚାପି ହୋଇଯାଇଥିଲେ ।

ସ୍ଥାନୀୟ ଲୋକମାନେ ବହୁ ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କୁ ଉଦ୍ଧାର କରିପାରି ନ ଥିଲେ । ପରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଗ୍ୟାସ କଟର ସାହାର୍ଯ୍ୟରେ ଲୁହା ରଡକୁ କାଟି ଦୁଇ ଶ୍ରମିକଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ସେଠାରେ ଜଣଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ମୃତ ଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏହି ଦୁର୍ଘଟଣାକୁ ନେଇ ସେଠାରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା । ନିମ୍ନମାନ ଓ ଅନଭିଜ୍ଞ ଇଂଜିନିୟର ଏବଂ କନଷ୍ଟ୍ରକସନ କମ୍ପାନୀର ଅବହେଳା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଦାବି କରି ଛାତ୍ର କଂଗ୍ରେସ ଓ ବିଜେପି ପକ୍ଷରୁ ନାରାବାଜୀ ଦିଆଯାଇଥିଲା ଏବଂ ପୋଲ ନିର୍ମାଣକାରୀ ସଂସ୍ଥା ପଣ୍ଡା ଇମ୍ଫ୍ରାଷ୍ଟ୍ରକଚର ମାଲିକଙ୍କ ଗିରଫ ଦାବି କରିଥିଲେ । ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ ଓ ବିଜେପି ନେତା ଜଗନ୍ନଥ ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ଲୋକେ ରାସ୍ତା ଅବରୋଧ କରିଥିଲେ । ତେବେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ୮ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଘଟଣାସ୍ଥଳରେ ଡିସିପି ଅନୁପ କୁମାର ସାହୁଙ୍କ ସହ ବରିଷ୍ଠ ଅଧିକାରୀମାନେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ ଲାଗି ଉଦ୍ୟମ ଚଳାଇଥିଲେ ।

ସେହିପରି ପୂର୍ବରୁ ,୨୦୧୭ ସେପ୍ଟେମ୍ବର ୧୦ ରେ ହଠାତ୍ ବ୍ରିଜ୍ ର ଏକ ସେଣ୍ଟରିଂ ଭୂଷୁଡ଼ି ପଡ଼ିଥିଲା । ସେହି ସମୟରେ ଝାରପଡ଼ାର ଜଣେ ଯୁବକ ତାଙ୍କ ଝିଅକୁ ଡ୍ୟାନସ୍ କ୍ଲାସରୁ ଧରି ସେବାଟେ ଘରକୁ ଫେରୁଥିଲା ବେଳେ ତଳେ ଚାପିହୋଇଗଲେ । ସୌଭାଗ୍ୟକୁ କୁନିଝିଅଟି ଆହତ ହୋଇଥିଲେ ମାତ୍ର ବାପା କିନ୍ତୁ ଚାପି ହୋଇ ମରିଯାଇଥିଲେ । ଏହି ଦୁର୍ଘଟଣାଟି ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥଲା ।

ଏହି ଘଟଣା ପରେ ପୋଲ ନିର୍ମାଣକାରୀ ସଂସ୍ଥା ପଣ୍ଡା ଇମ୍ଫ୍ରାଷ୍ଟ୍ରକଚରକୁ କଳାତାଲିକା ଭୃକ୍ତ କରାଯାଇଥିଲା । ଏଥିସହିତ ମୁଖ୍ୟଯନ୍ତ୍ରୀଙ୍କୁ ସସପେଣ୍ଡ କରାଯାଇଥିବା ବେଳେ ପଣ୍ଡା ଇମ୍ଫ୍ରାଷ୍ଟ୍ରକଚର ମାଲିକଙ୍କ ସମେତ ଏକାଧିକଙ୍କୁ ଗିରଫ କରାଯାଇଥିଲା । ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ସେହି କଳା ତାଲିକାଭୁକ୍ତ ପଣ୍ଡା ଇନଫ୍ରା ସଂସ୍ଥା କରୁଛି ଅସମ୍ପୂର୍ଣ୍ଣ ବ୍ରିଜ୍ ନିର୍ମାଣ କାମ ।

ଖାଲି ବମିଖାଲ ନୁହେଁ ପଣ୍ଡା ଇନଫ୍ରା ନିର୍ମିତ ଜଟଣୀ ଓଭରବ୍ରିଜ୍ ର ନିର୍ମାଣ କାର୍ଯ୍ୟ ମଧ୍ୟ ଅତି ନିମ୍ନମାନର ବୋଲି ଅଭିଯୋଗ ହୋଇଆସୁଛି । ସ୍ଥାନୀୟ ଲୋକେ ଆନ୍ଦୋଳନ କରୁଛନ୍ତି । ମାତ୍ର ସବୁ ପରେ ବି ସରକାରଙ୍କ ସେ କାହିଁକି ଗେହ୍ଲାପୁଅ ହୋଇଛି ତାହା କେହି ବୁଝିପାରୁନାହାନ୍ତି । ପଣ୍ଡା ଇନଫ୍ରା ସଂସ୍ଥାରେ ଶାସକ ଦଳର ଜଣେ ପାୱାରଫୁଲ୍ ନେତାଙ୍କ ଟଙ୍କା ଲାଗିଥିବାରୁ ତା ଦେହରେ ହାତ ମାରିବାକୁ କାହାର ସାହାସ ନାହିଁ ବୋଲି ଆଗରୁ ଚର୍ଚ୍ଚା ହୋଇ ଆସୁଛି ।

 

Leave A Reply

Your email address will not be published.