ରାଜ୍ୟରେ କୋହଳ ହେଲା ଲକଡାଉନ୍‌

0

ଭୁବନେଶ୍ୱର: ରାଜ୍ୟରେ କୋହଳ ହେଲା ଲକଡାଉନ୍‌ । କାଲିଠାରୁ ଆରମ୍ଭ ହେବ ଅନଲକ୍‌ ପ୍ରକ୍ରିୟା । କିନ୍ତୁ ମାନିବାକୁ ପଡିବ କରୋନା କଟକଣା । ରେଡ୍‌ ଜୋନରେ ଥିବା ଜିଲ୍ଲାକୁ ଛାଡି ଅନ୍ୟ ସମସ୍ତ ଜିଲ୍ଲାକୁ ଅନଲକ୍‌ କରିଛନ୍ତି ରାଜ୍ୟ ସରକାର । ଜୁଲାଇ ୧ ପର୍ଯ୍ୟନ୍ତ ଆଶିଂକ ଲକଡାଉନ ଜାରି ରହିବ । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ଆସନ୍ତାକାଲି ସକାଳ ୫ଟାରୁ ଆସନ୍ତା ଜୁଲାଇ ମାସ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଏହି ଆଂଶିକ ଲକଡାଉନ୍‌ ଲାଗୁ ହେବ । ୧୪ ଦିନ ପାଇଁ ଲାଗୁ ହୋଇଥିବା ଏହି ଆଂଶିକ ଲକଡାଉନ୍‌ ସମୟରେ ସପ୍ତାହାନ୍ତ ସଟଡାଉନ୍‌ ସମସ୍ତ ଜିଲ୍ଲାରେ ବଳବତ୍ତର ରହିବ । ସେହିପରି ସିନେମା ହଲ, ସେଲୁନ ଓ ସ୍ପା ଆଦି ସାରା ରାଜ୍ୟରେ ବନ୍ଦ ରହିବ । ସାରା ରାଜ୍ୟରେ ମନ୍ଦିର ବନ୍ଦ ରହିବ । କେବଳ ନୀତିକାନ୍ତି ଚାଲିବ । ଯାତ୍ରା ଓ ଆଉଟ ଡୋର ସୁଟିଂ ବନ୍ଦ ରହିବ । ସରକାରୀ ଓ ଘରୋଇ ଅଫିସ ୫୦% ଷ୍ଟାଫରେ କାର୍ଯ୍ୟ କରିପାରିବେ ବୋଲି କୁହାଯାଇଛି । ସାଇକେଲ, ଗାଡ଼ି ବିକ୍ରି ଓ ମରାମତି ଦୋକାନ ଖୋଲା ରହିବ । ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ବସ ଚଳାଚଳ ମଧ୍ୟ ବନ୍ଦ ରହିବ । ଅନ୍ୟପକ୍ଷରେ ଝାଡ଼ଖଣ୍ଡ, ଛତିଶଗଡ଼ ସୀମାରେ ଥିବା ସବୁ ଚେକପୋଷ୍ଟ କାଲିଠୁ ଖୋଲିବ । ଆନ୍ଧ୍ର, ପଶ୍ଚିମବଙ୍ଗ ସୀମାରେ ଥିବା ବର୍ଡର ଚେକ ପୋଷ୍ଟ ଚାଲୁ ରହିବ ବୋଲି ଘୋଷଣା କରାଯାଇଛି । କୋଭିଡ୍‌ ସଂକ୍ରମଣ ଦୃଷ୍ଟିରୁ ରାଜ୍ୟ ସରକାର ସମସ୍ତ ଜିଲ୍ଲାକୁ ଦୁଇଟି ଶ୍ରେଣୀରେ ବିଭକ୍ତ କରିଛନ୍ତି । ସଂକ୍ରମଣ ହ୍ରାସ ହୋଇଥିବା ପଶ୍ଚିମ ଓ ଦକ୍ଷିଣ ଓଡିଶାର ୧୭ଟି ଜିଲ୍ଲାକୁ ଏ କାଟାଗୋରୀରେ ରଖାଯାଇଛି । ଏହି ଜିଲ୍ଲାମାନଙ୍କରେ ସକାଳ ୬ଟାରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ କଟକଣା କୋହଳ କରାଯିବ । ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡା ‘ଏ’ କାଟାଗୋରିରେ ରହିଛନ୍ତି । ସେହିପରି ସଂକ୍ରମଣ ଅଧିକ ରହିଥିବା ୧୩ ଜିଲ୍ଲାକୁ ‘ବି’ କାଟାଗୋରିରେ ଅନ୍ତର୍ଭୁକ୍ତ କରାଯାଇଛି । ସଂକ୍ରମଣ ହାର ଅଧିକ ରହିଥିବାରୁ ଏହି ଜିଲ୍ଲାମାନଙ୍କରେ ସକାଳ ୬ରୁ ଦିନ ମଧ୍ୟାହ୍ନ ୧ଟା ଯାଏ କଟକଣା କୋହଳ କରାଯାଇଛି । ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝର ବି କାଟାଗୋରିରେ ରହିଛନ୍ତି ।

Leave A Reply

Your email address will not be published.