ପ୍ରବଳ ବର୍ଷା ଯୋଗୁଁ କାନ୍ଥ ପଡି ଚାଲିଗଲେ ୯ ଜଣ ଲୋକ

ଲକ୍ଷ୍ମୌରେ ପ୍ରବଳ ବର୍ଷା ଯୋଗୁଁ କାନ୍ଥ ପଡିବାରୁ ୯ ଲୋକ ମୃତ୍ୟୁବରଣ କରିଛନ୍ତି। ଏହାସହିତ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁବରଣ କରିଥିବା ଲୋକ ଦିଲକୁଶା ଆର୍ମି ଅଞ୍ଚଳରେ କ୍ୱାର୍ଟର ନିର୍ମାଣ କରିବା ପାଇଁ ଲକ୍ଷ୍ମୌ ଆସିଥିଲେ। ଦୁଇ ମାସ ପୂର୍ବରୁ ନିର୍ମାଣ କାର୍ଯ୍ୟ ସରିଥିଲା। କିନ୍ତୁ ସେଠାରେ କାମ କରୁଥିବା ଶ୍ରମିକ ଅବୈଧ ଢଙ୍ଗରେ ଘର ନିର୍ମାଣ କରି ରହୁଥିଲେ।
ଖବର ଅନୁଯାୟୀ, ଏହି ଘଟଣାର ଶିକାର ହୋଇଥିବା ଲୋକଙ୍କ ମଧ୍ୟରେ ୩ ଜଣ ପିଲା ରହିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାରେ ଦୁଃଖ ପ୍ରକାଶ କରି ସହିତ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଘଟଣାରେ ଶିକାର ହୋଇଥିବା ସମସ୍ତ ଆହତଙ୍କୁ ମାଗଣା ଚିକିତ୍ସା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ମୁତାବକ, ଘଟଣାସ୍ଥଳରୁ ୯ ଜଣଙ୍କ ଶବ ଉଦ୍ଧାର କରାଯାଇଛି। ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ଲକ୍ଷ୍ମୌ ଜିଲ୍ଲାପାଳ ଆହତଙ୍କୁ ମାଗଣା ଚିକିତ୍ସା ପାଇଁ କହିଛନ୍ତି। ଘଟଣା ବିଷୟରେ ସୂଚନା ମିଳିବା ପରେ ଆର୍ମି ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ଆହତଙ୍କୁ ହସପିଟାଲରେ ପହଞ୍ଚାଇଥିଲେ।