ଲୁଣାବନ୍ଧ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସଞ୍ଜୟ ଦାସବର୍ମା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟର ୪ ଗୋଟି ଜିଲ୍ଲାର ୨୦୦ କିମି ପରିବ୍ୟାପ୍ତ ୩୬ ଲୁଣା ବନ୍ଧର ମରାମତି, ସୁଦୃଢୀ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ରାଜ୍ୟ କ୍ୟାବିନେଟରେ ଗତକାଲି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ର ଏଭଳି ଯୁଗାନ୍ତକାରୀ ନିଷ୍ପତ୍ତି ଫଳରେ ପୁରୀ ଜିଲ୍ଲାର ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ, ବ୍ରହ୍ମଗିରି ବ୍ଲକ ସମୁଦ୍ର ଜୁଆର ଓ ଚିଲିକା ଜୁଆରରୁ ସୁରକ୍ଷିତ ରହିପାରିବ ।
ପ୍ରମୁଖ ଭାବେ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକର ଅରଖକୁଦା ଘେରି ଅନ୍ତଃର୍ଗତ ଭଗବାନ ପୁର, ମୋଟୋ, ହାସିନିପୁର, ବାଲିହରଚଣ୍ଡି, ନଡ଼ିଆ ଖିଆ ଘେରି ଅନ୍ତଃର୍ଗତ ବାତ୍ୟା ପ୍ରତିରୋଧକ ଲୁଣା ବନ୍ଧ ନିର୍ମାଣ ଫଳରେ ପଦନପୁର, ରାୟପୁର, ଗବକୁଣ୍ଡ, ସେବକପୁର, ମିର୍ଜାପୁର, ଆନନ୍ଦପୁର, ସିଆଣ୍ଡି, ମାଣିକ ପାଟଣା, ପଣସପଦା ଏବଂ ସାତପଡ଼ା ବାତ୍ୟା ପ୍ରତିରୋଧକ ପୁନଃ ନିର୍ମାଣ ଫଳରେ ସାତପଡ଼ା ଘେରି ଅନ୍ତଃର୍ଗତ ବାଉରୀ ସାହି, ଆଳୁ ପାଟଣା, ବଉଳ ପାଟଣା, ବାଘ ମୁଣ୍ଡା, ନୂଆଗାଁ, ସିପକୁଦା, ବନମାଳୀ ପୁର , ପିରିଜିପୁର, ଗଙ୍ଗାଧର ପୁର ଓ ଗୋରାପୁର ପ୍ରମୁଖ ଗ୍ରାମ ଓ ଜନସାଧାରଣ ଏହି ବାତ୍ୟା ପ୍ରତିରୋଧକ ବନ୍ଦ ଗୁଡିକ ନିର୍ମାଣ ହେବା ଫଳରେ ସୁରକ୍ଷିତ ରହିପାରିବ। ଘଣ୍ଟା ପ୍ରତି ୨୫୦ କିମି ବେଗରେ ବହୁଥିବା ବାତ୍ୟା, ଉଚ୍ଚ ଜୁଆର, ଲୁଣା ପାଣି, ମାଡ଼ିଯିବା ତଥା ବନ୍ୟା ଦାଉରୁ ନିକଟସ୍ଥ ସ୍ଥଳଭାଗ ଓ ଜନବସତିକୁ ସୁରକ୍ଷା ପ୍ରଦାନ କରିବାରେ ଏହା ସହାୟତକ ହେଉଥିବା ରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ସୁଦୁର ପ୍ରସାରି ନିଷ୍ପତ୍ତି କୁ ଆମେ ଧନ୍ୟବାଦ ଜଣାଉଛୁ । ୧୩୨.୪୧ କୋଟି ଟଙ୍କା ବ୍ୟୟ ବରାଦରେ ୪୦.୮୪ କିମି ବାତ୍ୟା ପ୍ରତିରୋଧକ ଏହି ଲୁଣାବନ୍ଧ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ, ବ୍ରହ୍ମଗିରି, କାକଟପୁର, ଅସ୍ତରଙ୍ଗ ବ୍ଲକର ଲୁଣାବନ୍ଧର ସୁଦୃଢୀ କରଣ ସହ ବାତ୍ୟା ପ୍ରତିରୋଧ ସ୍ତରକୁ ଅଣାଯାଇ ପାରିବ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏହି ଲୋକାଭିମୁଖୀ ପ୍ରକଳ୍ପ ପାଇଁ ପୁରୀ ଜିଲ୍ଲା ବାସୀଙ୍କ ତରଫରୁ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରୁଛୁ ।