ମହାରାଷ୍ଟ୍ରରେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବଢିଲା ବିବାଦ, କୋଶିୟାରିଙ୍କୁ ହଟାଇବାକୁ ଦାବି କଲା ଶିବସେନା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ଓ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ମଧ୍ୟରେ ବିବାଦ ଘନୀଭୂତ ହୋଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟପାଳଙ୍କୁ ତୁରନ୍ତ ଅପସାରଣ କରାଯିବା ଲାଗି ଶିବସେନା ଦାବି କରିଛି। ଶିବସେନା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଏହି ଦାବି କରାଯାଇଛି। ଶିବସେନାର ମୁଖପତ୍ର ‘ସାମ୍‌ନା’ର ସମ୍ପାଦକୀୟରେ ଏହି ସମ୍ପର୍କରେ କଡ଼ା ଭାଷାରେ ଉଲ୍ଳେଖ କରାଯାଇଛି, ରାଜ୍ୟପାଳ ପଦବୀ ଭଳି ଉଚ୍ଚଆସନରେ ବସିଥିବା ଭଗତ ସିଂହ କୋଶିୟାରୀଙ୍କ ଠାରୁ ଏଭଳି ଆଚରଣ ଆଦୌ ଆଶା କରାଯାଏନାହିଁ। ସେ ନିଜ ସୁବିଧା ପାଇଁ ସବୁକିଛିକୁ ଜଳାଞ୍ଜଳି ଦେଇଛନ୍ତି।
ରାଜ୍ୟପାଳ ଅକାରଣରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ପତ୍ର ଲେଖି ବିଭିନ୍ନ ନିର୍ଦ୍ଦେଶ ଦେଉଛନ୍ତି। ଏଠାରେ ସ୍ମରଣଯୋଗ୍ୟ କୋଶିୟାରୀ ନିକଟରେ ଉଦ୍ଧବ ଠାକ୍‌ରେଙ୍କୁ ଚିଠି ଲେଖି ସେ ହଠାତ୍ ଧର୍ମ ନିରପେକ୍ଷ ହୋଇଗଲେ କେମିତି ବୋଲି ପ୍ରଶ୍ନ କରିଛନ୍ତି। ଦଳ ପକ୍ଷରୁ ଆହୁରି କୁହାଯାଇଛି, ରାଜ୍ୟରେ ମନ୍ଦିରଗୁଡିକ ଖୋଲିବା ପାଇଁ ବିଜେପି ଆନ୍ଦୋଳନ ଆରମ୍ଭ କରିଥିଲା। ଏଭଳି ରାଜନୈତିକ ନିଷ୍ପତ୍ତି ସମ୍ପର୍କରେ ରାଜ୍ୟପାଳ ମୁଣ୍ଡ ଖେଳାଇବା ଉଚିତ୍ ନୁହେଁ । କିନ୍ତୁ ବିଜେପି ଏଥିନେଇ ଆନ୍ଦୋଳନ କରିବା ମାତ୍ରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ପତ୍ର ଲେଖିଲେ । ଏହି ପତ୍ର ସମ୍ବାଦପତ୍ରରେ ପ୍ରକାଶିତ ହେଲା ।
ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବାରୁ ତାଙ୍କୁ ତୁରନ୍ତ ଅପସାରଣ କରାଯିବାକୁ ଶିବସେନା ଦାବି କରିଛି । ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ରାଜଭବନର ମର୍ଯ୍ୟାଦା ରକ୍ଷା କରିବା ଲାଗି ଶିବସେନା ମୋଦୀ ସରକାରଙ୍କ ନିକଟରେ ଦାବି କରିଛି । ଦଳ ପକ୍ଷରୁ କୁହାଯାଇଛି, ମହାରାଷ୍ଟ୍ରରେ ରାଜ୍ୟପାଳ ପଦବୀର ଦୁରୁପଯୋଗ କରି ରାଜ୍ୟ ସରକାରଙ୍କୁ ଆକ୍ରମଣ କରିବା ବିରୋଧୀ ଦଳ ପାଇଁ ମହଙ୍ଗା ପଡିବ । ଏହି ପରିପ୍ରେକ୍ଷୀରେ ଶାସକ ମେଣ୍ଟର ଅଂଶୀଦାର ଦଳ ଏନ୍‌ସିପି ମୁଖ୍ୟ ଶରଦ ପାୱାର ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ବିବାଦରେ ଉଦ୍‌ବେଗ ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଛନ୍ତି ।

Leave A Reply

Your email address will not be published.