ବିଧାନସଭାରେ ଡାଏଲଗ ମାରିଲେ ମହାରଥୀ କହିଲେ ନିରଞ୍ଜନଙ୍କ କଥା ବାଧିବାରୁ କାଲିଠୁ ଖାଇନି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଳୁ ମିଶନ ଫେଲ୍‌, ରାଜ୍ୟରେ ଶୀତଳ ଭଣ୍ଡାର ଅଭାବ ଯୋଗୁ ପନିବପରିବା ଦର ବୃଦ୍ଧି ଆଦି ନେଇ ଗତକାଲି ବିଧାନସଭାରେ ପିପିଲି ବିଧାୟକ ତଥା ପୂର୍ବତନ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ଆକ୍ଷେପ କଲାଭଳି ଉତ୍ତର ରଖିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଅର୍ଥମନ୍ତ୍ରୀଙ୍କ ଏହି ବିବୃତ୍ତିକୁ ନେଇ ଆଜି ଗୃହରେ ଜହର ଉଗାଳିଛନ୍ତି ମହାରଥୀ । ସେ କହିଛନ୍ତି, ମୁଁ କୃଷିମନ୍ତ୍ରୀ ଥିବା ସମୟରେ ରାଜ୍ୟରେ ୨୪ଟି ଶୀତଳଭଣ୍ଡାର ଥିଲା । ଏହାକୁ ମୁଁ ୪୮କୁ ବୃଦ୍ଧି କରିଛି । ମୁଁ କୃଷିମନ୍ତ୍ରୀ ଥିବା ବେଳେ ରାଜ୍ୟ ସରକାର ୪ ଥର କୃଷି କର୍ମଣ ପୁରସ୍କାର ପାଇଛନ୍ତି । ନିରଞ୍ଜନ ବାବୁ କାଲି ଯାହା ଉତ୍ତର ରଖିଥିଲେ ତାହା ସମ୍ପୂର୍ଣ୍ଣ ଭୁଲ ବୋଲି ଆଜି ଗୃହରେ ମହାରଥୀ କହିଛନ୍ତି । ଏଥିସହ ସେ କହିଛନ୍ତି, ନିରଞ୍ଜନ ବାବୁଙ୍କ ଉତ୍ତର ମୋତେ ଖୁବ୍‌ ବାଧିଛି । ତେଣୁ ମୁଁ କାଲିଠାରୁ କିଛି ଖାଇନାହିଁ । ତେବେ ମହାରଥୀଙ୍କ ଏଭଳି ଉତ୍ତରରେ ସରକାରୀ ମୁଖ୍ୟ ସଚେତନ ପ୍ରମିଳା ମଲ୍ଲିକ କହିଛନ୍ତି, ମହାରଥୀ ସବୁବେଳେ ଯାତ୍ରାଶୈଳୀରେ ଉତ୍ତର ଦିଅନ୍ତି । ସେ କ’ଣ ନଖାଇ ବିଧାନସଭା ଆସିଛନ୍ତି । ଆଉ ତାଙ୍କ ଖାଇବା ନ ଖାଇବା ନେଇ କ’ଣ ଆମେ ତଦନ୍ତ କରିବୁ ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା । 

ସୂଚନାଥାଉ କି, ବୁଧବାର ପ୍ରଶ୍ନୋତ୍ତର ବେଳେ ବିଜେଡି ସଭ୍ୟ ପ୍ରଦୀପ ମହାରଥୀ ରାଜ୍ୟରେ କେତେ ଶୀତଳଭଣ୍ଡାର ଅଛି, ସେଥିରୁ କେତେ ସଚଳ ଅଛି । ଶୀତଳଭଣ୍ଡାର ବନ୍ଦ ହେବାର କାରଣ କ’ଣ । ଶୀତଳଭଣ୍ଡାର ଗୁଡିକୁ ରିହାତି ଦରରେ ବିଜୁଳି ଯୋଗାଇ ଦେବାର ବ୍ୟବସ୍ଥା କରିବେ କି ବୋଲି କୃଷିମନ୍ତ୍ରୀଙ୍କ ବଦଳରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ପ୍ରଶ୍ନ ପଚାରିଥିଲେ । ମନ୍ତ୍ରୀ ଉତ୍ତରରେ କହିଥିଲେ ଆପଣ କୃଷିମନ୍ତ୍ରୀ ଥିଲେ । ଶୀତଳଭଣ୍ଡାର ରାଜ୍ୟରେ କେତେ ଅଛି, ସେଗୁଡିକର ଅବସ୍ଥା କ’ଣ ଆପଣ ସେ ବିଷୟରେ ପିଏଚ୍‌ଡି କରିଛନ୍ତି । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ତୁତୁ ମେଁମେଁ ଆରମ୍ଭ ହୋଇଯାଇଛି ।

Leave A Reply

Your email address will not be published.