ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମମତା ବାନାର୍ଜୀ

ଭୁଵନେଶ୍ବର(ଓଡିଶାଫାଷ୍ଟ ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଅପରାହ୍ନରେ ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଙ୍ଗବସ୍ତ୍ର ଦେଇ ସ୍ବାଗତ କରିବା ସହିତ ତିନି ରଥର କାଠ ତିଆରି ପ୍ରତିକୃତି ଉପହାର ଆକାରରେ ପ୍ରଦାନ କରିଥଲେ।
ମୁଖ୍ୟମନ୍ତ୍ରୀ ଏହା ସହିତ ରୂପା ତାରକସିର କାରୁକାର୍ଯ୍ୟ ଓ ଛେନାପୋଡ଼ ମଧ୍ଯ ଉପହାର ଦେଇଥିଲେ। ଏହି ଅବସରରେ ପଶ୍ଚିମବଙ୍ଗ ଜନସାଧାରଣଙ୍କ ପ୍ରତି ସଦିଚ୍ଛା ସ୍ଵରୂପ ମୁଖ୍ୟମନ୍ତ୍ରୀ ପୁରୀରେ ଅତିଥି ଭବନ ନିର୍ମାଣ ପାଇଁ ଓଡିଶାବାସୀଙ୍କ ପକ୍ଷରୁ ପଶ୍ଚିମବଙ୍ଗ ସରକାରଙ୍କୁ ଦୁଇ ଏକର ଜମି ଉପହାର୍ ସ୍ଵରୂପ ଦେଇଥିଲେ।
ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ବିଶ୍ଵ ବାଂଲା ଦ୍ଵାରା ପ୍ରସ୍ତୁତ ଏକ ସାଲ ଉପହାର ଦେଇଥିଲେ। ଏହା ସହିତ ବିଜୁ ବାବୁ ଓ ଜ୍ଞାନ ପଟ୍ଟନାୟକଙ୍କ ଫଟୋ ରେ ଜାମଦାନି ଶାଢ଼ୀ ଦେଇ ଶ୍ରଦ୍ଧା ନିବେଦନ କରିଥିଲେ।
ଭୁବନେଶ୍ବରରେ ଗତ ୨୧ତାରିଖ ଦିନ ପହଂଚିବା ପରେ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ବେଙ୍ଗଲ ମିଠା ପଠାଇଥିଲେ ।
ଉଭୟ ନେତା ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ ଯେ, ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ଗତ ୨୧ ତାରିଖରୁ ଓଡ଼ିଶା ଗସ୍ତରେ ଅଛନ୍ତି। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ଭି କେ ପାଣ୍ଡିଆନ ଉପସ୍ଥିତ ଥିଲେ।