ସାମ୍ବାଦିକଙ୍କ ସମସ୍ୟା ବୁଝିବେ ମାନସ ମଙ୍ଗରାଜ, ମୁଖ୍ୟମନ୍ତ୍ରୀ ଦେଲେ ଦାୟିତ୍ୱ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ ସାମ୍ବାଦିକଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ତେଣୁ ସାମ୍ବାଦିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ମିଡ଼ିଆ ଉପଦେଷ୍ଟା ମାନସ ରଞ୍ଜନ ମଙ୍ଗରାଜଙ୍କୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛନ୍ତି । ସାମ୍ବାଦିକମାନଙ୍କ ସମସ୍ୟା ଶୁଣିବା ସହ ସେଗୁଡ଼ିକର ସମାଧାନ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ଶ୍ରୀ ମଙ୍ଗରାଜଙ୍କ ସହ ପରାମର୍ଶ କରିବେ । କାରଣ ଶ୍ରୀ ମଙ୍ଗରାଜଙ୍କର ସାମ୍ବାଦିକତାରେ ଦୀର୍ଘ ବର୍ଷର ଅଭିଜ୍ଞତା ଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏ ସମ୍ୱନ୍ଧରେ ବିଜ୍ଞପ୍ତି ଜାରି ହୋଇଛି ।

ସୂଚନା ଅନୁଯାୟୀ, ସାମ୍ବାଦିକଙ୍କ ସୁରକ୍ଷା ବ୍ୟତୀତ ପ୍ରିଣ୍ଟ ଓ ଇଲେକଟ୍ରୋନିକ ଗଣମାଧ୍ୟମକୁ ରାଜ୍ୟ ସରକାର ଦେଉଥିବା ବିଜ୍ଞାପନ ଶ୍ରୀ ମଙ୍ଗରାଜଙ୍କର ପରାମର୍ଶରେ ବଣ୍ଟନ କରାଯିବ । ସେହିପରି ସୂଚନା ଓ ଲୋକସମ୍ପର୍କ ବିଭାଗର ଗୁରୁତ୍ୱପୂର୍ଣ୍ଣ ଉତ୍ସବ ଗୁଡ଼ିକରେ ସେ ସମ୍ମାନନୀୟ ଅତିଥି ଭାବେ ଯୋଗଦେବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

ବର୍ତ୍ତମାନ ମାନସ ମଙ୍ଗରାଜ ରାଜ୍ୟ ସରକାରଙ୍କ ମିଡ଼ିଆ ଉପଦେଷ୍ଟା ଭାବେ ଦାୟିତ୍ୱ ତୁଲାଉଛନ୍ତି । ଶ୍ରୀ ମଙ୍ଗରାଜଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମଧ୍ୟ ମିଳିଛି । ମାତ୍ର କିଛିଦିନ ତଳେ ତାଙ୍କୁ ଏହି ଦାୟିତ୍ୱ ମିଳିଥିଲେ ମଧ୍ୟ ସେ ଖୁବ ସୁଚାରୁ ରୁପେ ନିଜ କର୍ତ୍ତବ୍ୟ ପ୍ରତିପାଦନ କରୁଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଏହି ଗୁରୁ ଦାୟିତ୍ୱ ପ୍ରଦାନ କରିଛନ୍ତି ।

ଅପରପକ୍ଷରେ ଶ୍ରୀ ମଙ୍ଗରାଜ ପୂର୍ବରୁ ସାମ୍ବାଦିକ ଭାବେ କାର୍ଯ୍ୟ କରିଥିବାରୁ ଓ ଜଣେ ଭଲ ସାମ୍ବାଦିକ ହୋଇଥିବାରୁ ସେ ସାମ୍ବାଦିକଙ୍କ ସୁବିଧା ଅସୁବିଧା ଠିକ ଭାବେ ବୁଝି ପାରିବେ ବୋଲି ସାମ୍ବାଦିକମାନେ ଏହାକୁ ସ୍ୱାଗତ କରିଛନ୍ତି ।

Leave A Reply

Your email address will not be published.