ବିଜେଡିର ଅନେକ ସାଂସଦ ବିଜେପି ମୁହାଁ !

0

ଓଡ଼ିଶା ଫାଷ୍ଟ(ଜିତେନ୍ଦ୍ର ମହାନ୍ତି): ବିଜେଡିର ଅନେକ ସାଂସଦ ଏବେ ବିଜେପି ମୁହାଁ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଲାଣି । କିଏ ଆର.ଏସ.ଏସର ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେଉଥିବା ବେଳେ ଆଉ କିଏ ବିଭିନ୍ନ ଆଳ ଦେଖାଇ ବିଜେଡିର ଦଳୀୟ କାର୍ଯ୍ୟକ୍ରମରୁ ଦୂରରେ ରହୁଛନ୍ତି । ତ’ କିଏ ନିଜ କାର୍ଯ୍ୟକ୍ରମର ଶୁଭାରମ୍ଭ ପ୍ରଧାନମନ୍ତ୍ରୀଙ୍କ ହାତରେ କରୁଥିବା ବେଳେ ସେଠାରେ ବିଜେଡି ନେତା ମନ୍ତ୍ରୀଙ୍କ ବଦଳରେ ବିଜେପି କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତି ଅନେକ ଦ୍ଵନ୍ଦ ସୃଷ୍ଟି କରିଛି । ରାଜନୈତିକ ବିଶେଷଜ୍ଞ ଏହାକୁ ଦଳ ପରିବର୍ତ୍ତନର ପୂର୍ବଭାସ ବୋଲି ମତ ପ୍ରକାଶ କରିବା ସହ ଏହା ଆଗାମୀ ଦିନରେ ବିଜେଡି ପାଇଁ ଏକ ଚିନ୍ତାର ବିଷୟ ପଲଟିବା ନେଇ ଆଶା ବ୍ୟକ୍ତ କରିଛନ୍ତି ।

ସୂଚନା ଅନୁଯାୟୀ, କଟକ ବିଜେଡି ସାଂସଦ ଭତୃହରି ମହତାବଙ୍କ କଥା ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି । ନିକଟରେ ନିଜ ଖବରକାଗଜର ହିନ୍ଦୀ ସଂସ୍କରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଇବା ଓ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉପରେ ଅସନ୍ତୋଷ ହେବା ଚର୍ଚ୍ଚାର ପରିସରକୁ ଆସିଥିଲା । ଯାହାକୁ ନେଇ ବିଜେଡି କର୍ମୀ ମାନେ ତାଙ୍କୁ ସୋସିଆଲ ମିଡିଆରେ ଅନେକ ଉପହାସ କରିଥିଲେ । ଏହା ପୂର୍ବରୁ ମଧ୍ୟ ନିଜ ସଂସଦୀୟ ଜୀବନ ଉପରେ ଲିଖିତ ଏକ ପୁସ୍ତକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭର୍ତ୍ତୃହରି ଭେଟି ଦେଇଥିଲେ।

ସେହିପରି ଢେଙ୍କାନାଳର ସାଂସଦ ମହେଶ ସାହୁଙ୍କୁ ବିଜେଡି ସାଂସଦ ହେବା ପୂର୍ବରୁ ଆର.ଏସ.ଏସ ସହିତ ଜଡିତ ଥିଲେ । ଢେଙ୍କାନାଳ ପୂର୍ବତନ ବିଜେଡି ସଂସଦ ତଥାଗତ ଶତପଥୀଙ୍କ ବିଜେଡି ସହିତ ମନାନ୍ତର ହେବାରୁ ମହେଶଙ୍କୁ ବିଜେଡି ପକ୍ଷରୁ ସାଂସଦ ହେବର ସୌଭାଗ୍ୟ ପ୍ରାପ୍ତ ହେଲା । ମାତ୍ର ସେ ଆଜି ପର୍ଯ୍ୟନ୍ତ ନିଜ ଆର.ଏସ.ଏସ ପ୍ରତି ଥିବା ମୋହ ତୁଟି ପାରିନାହାନ୍ତି । ବର୍ତ୍ତମାନ ମଧ୍ୟ ସେ ଆର.ଏସ.ଏସର ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେଉଥିବା ଶୁଣିବାକୁ ମିଳୁଛି ।

ଅପରପକ୍ଷରେ ପୁରୀର ସାଂସଦ ପିନାକୀ ମିଶ୍ର ମଧ୍ୟ ବିଜେଡିର କୌଣସି ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେଉନାହାନ୍ତି । ଶ୍ରୀ ମିଶ୍ର ବିଭିନ୍ନ ଆଳ ଦେଖାଇ ଦଳୀୟ କାର୍ଯ୍ୟକ୍ରମରୁ ଦୂରରେ ରହୁଥିବାରୁ ସ୍ଥାନୀୟ ବିଜେଡ଼ି କର୍ମୀ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ସେ ଅଧିକ ସମୟ ନିଜ ଓକିଲାତି ଦେବାକୁ ଚାହୁଁଥିବା ନେଇ ତାଙ୍କ ଆନୁଗତ୍ୟଙ୍କ ଆଗରେ ପ୍ରକାଶ କରିଥିବା ସୂଚନା ମିଳିଛି । ତେଣୁ ୧୯୯୬ରୁ ପୁରୀରୁ ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଥିବା ପିନାକୀ ମିଶ୍ରଙ୍କ ମନ ଆଉ ବିଜେଡି ସହିତ ନଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ସେହିପରି କନ୍ଧମାଳ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ ଓଡ଼ିଶାରେ ବିଜେଡ଼ି ସପକ୍ଷରେ ଥିବାବେଳେ ଓଡ଼ିଶା ବାହାରେ ଶ୍ରୀ ସାମନ୍ତଙ୍କ ବିଜେପି ମୋହ ଚର୍ଚ୍ଚା ବର୍ତ୍ତମାନ ବିଜେଡ଼ିକୁ ଚିନ୍ତାରେ ପକାଇଛି । ନିକଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସାକୁ ନେଇ ଶ୍ରୀ ସାମନ୍ତ ସମସ୍ତଙ୍କ ଚର୍ଚ୍ଚାର ପରିସରକୁ ଆସିଥିଲେ । ଏହା ବ୍ୟତୀତ ଅନେକ ବିଜେଡ଼ି ସାଂସଦ ଗୁପ୍ତ ଭାବରେ ବିଜେପି ସହ ସମ୍ପର୍କରେ ଥିବା ନେଇ ମଧ୍ଯ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.