ଥାନା ରେ ପଡ଼ିଲା ହସ୍ତଗଣ୍ଠି ଓ ବରଣମାଳା ।

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଷ୍ଟିଲସିଟି ରାଉରକେଲାର ଟାଙ୍ଗରପାଲି ଥାନା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ କାଣ୍ଡ। ହାତରେ ଲାଗିଛି ମେହେନ୍ଦି।ବନ୍ଧା ହୋଇଛି ଦୁବ, ବରକୋଳିପତ୍ର। ଆଉ ଅଳତା ପାଦରେ କନ୍ୟା ଥାନାରେ ପହଞ୍ଚି ମଦୁଆ ବରର ଉନ୍ମତ୍ତ କାଣ୍ଡ ଘଟଣାର ପୋଲିସ ପାଖରେ ଲିଖିତ ଅଭିଯୋଗ କରିଛନ୍ତି।

ବାଜା ବାଜୁଥିଲା ବାଣ ଫୁଟୁଥିଲା ବରଯାତ୍ରୀ ଦଳଙ୍କ ନାଚରେ କମ୍ପୁଥିଲା ସାହି ହଠାତ୍‌ ଅପ୍ରତ୍ୟାସିତ ଭାବେ ଉଭା ହେଲେ ବରପାତ୍ର। ଗାଡ଼ିରୁ ବାହାରିପଡି ନାଚିବାକୁ ଲାଗିଲେ ଉନ୍ମତ୍ତ ହୋଇ। ମଦ୍ୟପ ବରଯାତ୍ରୀଙ୍କ ତାଳେ ତାଳେ ତାଙ୍କ ପାଦ ବି ଏକାକାର ହୋଇଗଲା। କନ୍ୟାଘର ଲୋକେ ଏ କଥା ଦେଖିଥିଲେ ବି ବରର ପିଲାଳିଆମି ଭାବି କଥାଟାକୁ ସହିଗଲେ। ଆରମ୍ଭ ହେଲା ବାହାଘର। ଗୋଟିଏ ବରଣ ସରିବା ବେଳକୁ ବରଯାତ୍ରୀ ଦଳଙ୍କ ଉତ୍ପାତ ମଧ୍ୟ ଦ୍ୱିଗୁଣିତ ହୋଇ ଯାଇଥିଲା। କନ୍ୟାଘର ଲୋକେ ଭଲ ଖାଇବାକୁ କରିନାହାନ୍ତି କହି ଆରମ୍ଭ ହେଲା ବୋଲିବାଣି। ଝିଅ ଦେଉଛନ୍ତି ଭାବି ଏ କଥା ବି ସହିଗଲେ। ହେଲେ ଅସଲ ବେଳକୁ ବରପାତ୍ରଙ୍କ କାରନାମା ନଜରକୁ ଆସିଲା।

ବରଯାତ୍ରୀଙ୍କ ସହ ତାଳ ମିଳେଇ ଶ୍ୱଶୁରଙ୍କୁ ଗାଳି ଗୁଲଜ କଲେ। ଠିକ ସମୟରେ ନାଲିପାଣି ବି ତାର କମାଲ ଦେଖାଇଲା। ବରପାତ୍ର ଜଣକ ବେଦୀମୂଳେ ବାନ୍ତି କଲେ। ଆଉ ଏଇ କଥା ଜାଣିବା ପରେ ବାହାଘରକୁ ଛି କରିଦେଲେ ମଙ୍ଗୁଳା କନ୍ୟା। ଏମିତି ମଦୁଆ ବରକୁ ବାହାହେବାକୁ ମନା କରିଦେଇ ବାହାରିଗଲା ଥାନାକୁ। ଶେଷରେ କାନମୁଣ୍ଡା ଆଉଁଶି ବରପାତ୍ର ନିଜ ଭାଇ ସହ ଥାନାରେ ପହଞ୍ଚିଥିଲେ। ପୋଲିସ ଅଭିଯୋଗକାରୀ କନ୍ୟାପାତ୍ରୀଙ୍କ କଥାରେ ତଦନ୍ତ ଆରମ୍ଭ କରିଥିଲା।

ମଦୁଆ ବରକୁ ବାହା ହେବେନି ବୋଲି ଜିଦ୍‌ ଧରି ଥାନାରେ ବସିଥିଲା କନ୍ୟା। ଥାନା ଅଧିକାରୀ ଓ ଦୁଇ ପରିବାର ଙ୍କ ଉପସ୍ଥିତିରେ ବରପାତ୍ର ପ୍ରତିଶ୍ରୁତି ଦେଇଥିଲା ମଦ ଜୀବନ ଥିବା ପର୍ଯ୍ୟନ୍ତ ପିଇବି ନାହିଁ। ପ୍ରତିଶ୍ରୁତି ପାଇବା ପରେ ମଙ୍ଗୁଳା କନ୍ୟା ଜଣଙ୍କ ଥାନାରେ ମନ ବଦଳାଇଥିଲେ ଓ ପୋଲିସ ଉପସ୍ଥିତିରେ ବରଣମାଳା ପକାଇ ଜୀବସାଥୀ  ଭାବରେ ସ୍ୱୀକାର କରିଥିଲେ। ଏବେ ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

 

Leave A Reply

Your email address will not be published.