ପାଟକୁରା ପାଇଁ ଗୋଟି ଚାଳନା, ନବୀନ ନିବାସରେ ବସିଲା ଉଚ୍ଚସ୍ତରୀୟ ବୈଠକ

0

ଓଡିଶା ଫାଷ୍ଟ(ବ୍ୟୁରୋ): ପାଟକୁରା ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୧୧ ଦିନ ବାକି । ନିର୍ବାଚନ ତାରିଖ ଘୋଷଣା ହେବା ପରେ ନିର୍ବାଚନମଣ୍ଡଳୀରେ ରାଜନୈତିକ ମାହୋଲ ଯେତିକି ଉଷ୍ମ ହେଉଛି, ରାଜ୍ୟ ରାଜନୀତି ବି ସେତିକି ସରଗରମ ରହିଛି । ଗତ ଦୁଇ ସାଧାରଣ ନିର୍ବାଚନରେ ଏହି ଆସନ ବିଜେଡି ହାତେଇଥିବା ବେଳେ ଏଥର ବିଜେଡି ଓ ଭାଜପା ମଧ୍ୟରେ କଡ଼ା ଟକ୍କର ହେବା ନିଶ୍ଚିତ । କିନ୍ତୁ ଏଥର ପାଟକୁରା ହାତେଇବା ବିଜେଡି ପାଇଁ ସେତେଟା ସହଜ ହେବନି । ବରିଷ୍ଠ ନେତା ତଥା ରାଜନୀତିର ଭୀଷ୍ମ କୁହାଯାଉଥିବା ବିଜୟ ମହାପାତ୍ରଙ୍କୁ ପାଟକୁରାରୁ ବିଜେପି ପ୍ରାର୍ଥୀ କରିଥିବା ବେଳେ ତାଙ୍କର ଅଭିଜ୍ଞତା ମଧ୍ୟ ଖୁବ୍‌ ରହିଛି । କେନ୍ଦ୍ରାପଡ଼ା ଏମ୍‌ପି ସିଟ୍‌ରେ ବୈଜୟନ୍ତଙ୍କୁ ହରାଇବା ପାଇଁ ବିଜେଡି ଯେଉଁଭଳି ରଣନୀତି ଆପଣାଇଥିଲା, ପାଟକୁରା ପାଇଁ ତା’ଠୁ ବି ଉଚ୍ଚ ଧରଣର ରଣନୀତି ପ୍ରସ୍ତୁତ ହୋଇଥିବା ଦେଖାଯାଉଛି । ନିର୍ବାଚନ ତାରିଖ ଘୋଷଣା ନହେବା ପୂର୍ବରୁ ଅଧଡଜନରୁ ଅଧିକ ବିଧାୟକ ଓ ମନ୍ତ୍ରୀ ପାଟକୁରାରେ ପହଞ୍ଚି ପ୍ରଚାର ଚଳାଇଛନ୍ତି ।

ଆଜି ପାଟକୁରା ବିଧାନସଭା ଆସନ ପାଇଁ ନିର୍ବାଚନ ନେଇ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ବୈଠକରେ ପାଟକୁରା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ ଓ ତାଙ୍କ ପୁଅ ସଞ୍ଜୟ ଅଗ୍ରଓ୍ବାଲ ଉପସ୍ଥିତ ଥିଲେ । ପାଟକୁରା ନେଇ ରଣନୀତି ସହ ତଳସ୍ତରରେ କିଭଳି ପ୍ରଚାର ଚାଲିଛି ସେ ନେଇ ମୁଖ୍ୟମନ୍ତ୍ରୀ ପଚାରି ବୁଝିଥିଲେ । ର୍ନିବାଚନରେ ଦଳ ତରଫରୁ ଦାୟିତ୍ୱରେ ଥିବା ବରିଷ୍ଠ ନେତାମାନଙ୍କ ସହ ବିଭିନ୍ନ ରଣନୀତି ସମ୍ପର୍କରେ ଆଲୋଚନା କରିଥିଲେ । ବୈଠକରେ ରାଜା ସ୍ବାଇଁ, ଅତନୁ ସବ୍ୟସାଚୀ ନାୟକ, କିଶୋର ତରାଇ, ସୁଶାନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.