କୋଭିଡ୍ ସ୍ଥିତିରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ: ମନ୍ତ୍ରୀ ରଘୁନନ୍ଦନ ଦାସ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): କୋଭିଡ୍-୧୯ ମହାମାରୀ ସମୟରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ସୁଦୂରପ୍ରସାରୀ ଏବଂ ପ୍ରଭାବଶାଳୀ ରହିଥିଲା । ‘କୋଭିଡ୍-୧୯ ମହାମାରୀ ସ୍ଥିତିରେ ଗଣମାଧ୍ୟମର ଭୂମିକା ଏବଂ ମହାମାରୀର ଗଣମାଧ୍ୟମ ଉପରେ ପ୍ରଭାବ’ ବିଷୟବସ୍ତୁ ଉପରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଅନୁଷ୍ଠିତ ୱେବିନାରରେ ଗଣମାଧ୍ୟମର ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଏବଂ ବୁଦ୍ଧିଜୀବୀ ଅଂଶଗ୍ରହଣ କରି ନିଜ ନିଜର ସୁଚିନ୍ତିତ ମତବ୍ୟକ୍ତ କରିଥିଲେ ।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଜଳସଂପଦ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କହି ଥିଲେ ଯେ ଗଣମାଧ୍ୟମ ହେଉଛି ସାଧାରଣ ଜନତାର ସ୍ୱର । ପ୍ରେସ୍ ଲୋକତନ୍ତ୍ରର ମୂଳଦୁଆ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ବିବେଚିତ ପ୍ରେସ୍ ଆମର ଗଣତାନ୍ତ୍ରିକ ମୂଳଦୁଆକୁ ମଜବୁତ୍ କରିଛି । ଓଡ଼ିଶାରେ କରୋନା ମୁକାବିଲା ଦିଗରେ ଲକ୍ଡାଉନ୍, ସଟ୍ଡାଉନ୍ ଠାରୁ ଆରମ୍ଭ କରି ଅନଲକ୍ ୧ରୁ ଏବେ ଚାଲିଥିବା ଅନଲକ୍ ୬ ପର୍ଯ୍ୟନ୍ତ ଗଣମାଧ୍ୟମ କୋଭିଡ୍ ସଂକ୍ରମଣକୁ ରୋକିବା ଦିଗରେ ଏବଂ ଜନସାଧାରଣଙ୍କ ଜୀବନ ଓ ଜୀବିକାକୁ ଦୃଷ୍ଟିରେ ରଖି ଯେଉଁପରି ସକ୍ରିୟ ସାହସିକତାର ସହ ସମ୍ବାଦ ପରିବେଷଣ କରି ଆସିଛି ତାହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ କୋଭିଡ୍ ସଂଗ୍ରାମରେ ପ୍ରାଣବଳୀ ଦେଇଥିବା ଦେଶ ତଥା ରାଜ୍ୟର କର୍ତ୍ତବ୍ୟରତ ସାମ୍ବାଦିକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବିଭାଗୀୟ ନିର୍ଦ୍ଦେଶକ କପୃାସିନ୍ଧୁ ମିଶ୍ର କହିଲେ ଯେ କରୋନା ମହାମାରୀ ସମୟରେ ଗଣମାଧ୍ୟମର ବନ୍ଧୁମାନେ ଜନସାଧାରଣ ଓ ସରକାରଙ୍କ ମଧ୍ୟରେ ସେତୁ ଭାବେ କାର୍ଯ୍ୟକରି ସମ୍ବାଦ ପରିବେଷଣ କରିଛନ୍ତି । ସେମାନେ ସବୁ ସମ୍ମାନର ଊଦ୍ଧ୍ୱର୍ରେ । ଆଗାମୀ ଦିନରେ ସମ୍ବାଦପତ୍ର ତଥା ଗଣମାଧ୍ୟମ ସଂସ୍ଥା ବର୍ତ୍ତମାନର ସ୍ଥିତିରୁ ଉଧୁରି ନିଜ ନିଜର ବୃତ୍ତିଗତ କାର୍ଯ୍ୟକୁ ସଠିକ୍ ଭାବେ ପରିଚାଳନା କରିପାରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ । ‘ଉତ୍କଳ ପ୍ରସଙ୍ଗ’ ଏବଂ ‘ଓଡ଼ିଶା ରିଭ୍ୟୁ’ର ସଂପାଦକ ଡକ୍ଟର ଲେନିନ୍ ମହାନ୍ତି କହିଥିଲେ ଯେ କୋଭିଡ୍ ସ୍ଥିତିରେ ଗଣମାଧ୍ୟମ ପ୍ରତିନିଧିମାନେ ବହୁ ଆହ୍ୱାନର ସମ୍ମୁଖୀନ ହୋଇ ସମ୍ବାଦ ସଂଗ୍ରହ କରି ଜନସାଧାରଣଙ୍କ ପାଖରେ ସୂଚନା ପହଞ୍ଚାଇବାରେ ସକ୍ଷମ ହୋଇଥିଲେ ।
ଏ ଦିଗରେ ରାଜ୍ୟର ସୂଚନା ଓ ଲୋକସଂପର୍କ ବିଭାଗର ଉଚ୍ଚକର୍ତ୍ତୃପକ୍ଷଙ୍କଠାରୁ ଆରମ୍ଭ କରି ଅଧିକାରୀମାନେ ଯେଉଁ ଭଳି ଭାବେ ନୂଆ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ପ୍ରତ୍ୟେହ ସମ୍ବାଦ ଓ ସୂଚନା ପ୍ରଦାନ କରୁଥିଲେ ତାହା ଅତ୍ୟନ୍ତ ପ୍ରଶଂସନୀୟ । ‘ଟାଇମସ୍ ଅଫ୍ ଇଣ୍ଡିଆ’ର ରାଜ୍ୟ ମୁଖ୍ୟ ମାନସ ରଞ୍ଜନ ଷଡଙ୍ଗୀ ଭାରତ ଭଳି ଜନବହୁଳ ରାଷ୍ଟ୍ରରେ ଗଣମାଧ୍ୟମ ଏହି ମହାମାରୀ ସମୟରେ ସକାରାତ୍ମକ ଭୂମିକା ଗ୍ରହଣ କରି ସଠିକ୍ ତଥ୍ୟ ପରିବେଷଣ କରିଥିବାରୁ ଦେଶରେ କୋଭିଡ୍ ସଂକ୍ରମଣ ଅନ୍ୟ ରାଷ୍ଟ୍ର ତୁଳନାରେ ନିୟନ୍ତ୍ରଣାଧୀନ ରହିଛି ବୋଲି କହିଥିଲେ ।

‘ଦି ନିଉ ଇଣ୍ଡିଆନ୍ ଏକ୍ସପ୍ରେସ୍’ର ପ୍ରତିନିଧି ବିଜୟ ପ୍ରଧାନ କହିଥିଲେ କରୋନା ମହାମାରୀ ସମୟରେ ଗଣମାଧ୍ୟମ ଅନେକାନେକ ଆହ୍ୱାନର ସମ୍ମୁଖୀନ ହୋଇ ମଧ୍ୟ ନିରବଚ୍ଛିନ୍ନ ଭାବେ ସମ୍ବାଦ ପରିବେଷଣ କରି ନିଜର ଦାୟିତ୍ୱ ନିର୍ବାହ କରି ଆସୁଛି । ‘ଓଡ଼ିଶା ବାଇଟସ୍’ର ଗ୍ରୁପ୍ ସଂପାଦକ ସଂଦୀପ ମିଶ୍ର ଗଣମାଧ୍ୟମର ସ୍ୱାଧୀନତା ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ କରୋନା ସଂକ୍ରମଣ ସମୟରେ କିଭଳି ସତ୍ୟଶୀଳ ଓ ବିଶ୍ୱସନୀୟ ସମ୍ବାଦ ପରିବେଷଣର ତର୍ଜମା କରିଥିଲେ । ‘ପ୍ରଗତିବାଦୀ’ର କାର୍ଯ୍ୟନିର୍ବାହୀ ସଂପାଦକ ବିରୁପାକ୍ଷ ତ୍ରିପାଠୀ କହିଲେ ଯେ କରୋନା ମହାମାରୀ ସମୟରେ ମୁଦ୍ରିତ ଗଣମାଧ୍ୟମ ଅଧିକ କ୍ଷତିଗ୍ରସ୍ତ ହୋଇଛି । କରୋନା ସଂକ୍ରମଣକୁ ରୋକିବା ଦିଗରେ ରାଜ୍ୟ ସରକାର ଯେଉଁ ସଫଳତା ପାଇଛନ୍ତି ସେହି ଶ୍ରେୟର ସିଂହଭାଗ ଗଣମାଧ୍ୟମକୁ ଯିବ । ‘ଡେକାନ୍ କ୍ରୋନିକ୍ଲ୍’ର ଦିଲ୍ଲୀ ପ୍ରତିନିଧି ସନ୍ତୋଷ ମହାପାତ୍ର କରୋନା ମହାମାରୀ ସମୟରେ ଶ୍ରମିକଶ୍ରେଣୀ ଏବଂ ମଧ୍ୟବିତ୍ତ ଶ୍ରେଣୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା କଥା ଗଣମାଧ୍ୟମ ପରିବେଷଣ କରିଛି ବୋଲି ଉଲ୍ଲେଖ କରିଥିଲେ । ପତ୍ର ସୂଚନା ନିର୍ଦ୍ଦେଶାଳୟର ପଦାଧିକାରୀ ପ୍ରଦୀପ ଚୌଧୁରୀ ତାଙ୍କ ବକ୍ତବ୍ୟରେ ଡାକ୍ତର, ପ୍ରେସ୍, ପୋଲିସ୍, ଜନପ୍ରତିନିଧି, ସରକାରୀ କର୍ମଚାରୀଙ୍କୁ ଆଗଧାଡ଼ିର କୋଭିଡ୍ ଯୋଦ୍ଧା ଭାବେ ଅଭିହିତ କରି ସେମାନଙ୍କ ସେବା ଓ ଯୋଗଦାନକୁ ପ୍ରଶଂସା କରିଥିଲେ ।
ସୂଚନା ଓ ଲୋକସଂପର୍କ ବିଭାଗର ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ କୋଭିଡ୍ ମୁକାବିଲାରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ନେଇ ଗଣମାଧ୍ୟମର ପରିବେଷଣ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ଦର୍ଶାଇ ଆଗାମୀ ଦିନରେ ଅନୁରୂପ ସହଯୋଗ ବଜାୟ ରହିବ ବୋଲି ଆଶାପ୍ରକାଶ କରି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.