ହସ୍ପିଟାଲରେ ବିଧାୟକଙ୍କୁ ଦୁର୍ବ୍ୟବହାର ଘଟଣାର ତଦନ୍ତ କରିବ ୪ଜଣିଆ କମିଟି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରସ୍ଥିତ କଳିଙ୍ଗ ହସ୍ପିଟାଲ କର୍ତ୍ତୃପକ୍ଷ କେନ୍ଦୁଝର ବିଧାୟକ ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କୁ ଦୁର୍ବ୍ୟବହାର କରିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଏହି ଘଟଣାର ତଦନ୍ତ ପାଇଁ ୪ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରି ୭ଦିନ ମଧ୍ୟରେ ରିପୋର୍ଟ ଦେବାକୁ ବିଭାଗୀୟ ସଚିବ ପିକେ ମେହେର୍ଦ୍ଦାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର ଏହି କମିଟିର ଅଧ୍ୟକ୍ଷ ଥିବାବେଳେ ବିଭାଗର ଯୁଗ୍ମ ସଚିବ ଶୁଭାନନ୍ଦ ମହାପାତ୍ର, ଉପସଚିବ ରାଜେଶ ଅଗ୍ରୱାଲ ଓ ଯସ୍ମିନ ପଟ୍ଟନାୟକ ଉକ୍ତ କମିଟିର ସଦସ୍ୟ ଅଛନ୍ତି । 

ଘଟଣା ମୁତାବକ, କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନାରଦପୁର ଗାଁର ବାସୁଦେବ ବାରିକଙ୍କ ପୁଅ ସଚିନ କଳିଙ୍ଗ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଶନିବାର ଭୋରରୁ ତାଙ୍କର ମୃତ୍ୟୁ ହୋଇଥିଲା । ଚିକିତ୍ସା ବାବଦ ଅର୍ଥ ପୈଠ ହୋଇଥିଲେ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ ଅଧିକ ଅର୍ଥ ଦାବି କରି ମୃତଦେହ ଛାଡ଼ି ନ ଥିଲେ । ତେବେ ସହାୟତା ପାଇଁ ସ୍ଥାନୀୟ ବିଧାୟକ ମୋହନ ମାଝୀଙ୍କୁ ସଚିନଙ୍କ ପରିବାର ଲୋକେ ନିବେଦନ କରିଥିଲେ । ଏହାପରେ ବିଧାୟକ ମାଝି ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହ ମୃତଦେହ ଛାଡ଼ିବାକୁ ଅନୁରୋଧ କରିଥିଲେ । ହେଲେ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ଏ ନେଇ ବିଧାୟକ ମାଝୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ । 

Leave A Reply

Your email address will not be published.