ଭୁଆଁ ବୁଲାଉଛି ପୁଞ୍ଜିଲାଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ଅଧ୍ୟାପକ ପୁଞ୍ଜିଲାଲ ମେହେର ସବୁ ପ୍ଲାନ ଏକାକୀ କରିଥିବାରୁ ଜେରା ବେଳେ ପୋଲିସ କୁ ଭୁଆଁ ବୁଲାଉଛି। ତାଙ୍କ ବିରୁଦ୍ଧରେ ସାକ୍ଷୀ ଦେବାପାଇଁ କେହିନାହାନ୍ତି । ତେଣୁ ସେ ମିଛ କହି ଖସିଯିବାକୁ ଉଦ୍ୟମ କରୁଛି। ଯାହାକି କ୍ରାଇମବ୍ରାଞ୍ଚ ପାଇଁ ଏକ ବଡ ଚ୍ୟାଲେଞ୍ଜ ର ବିଷୟ ହୋଇଛି।

କେହି ସାକ୍ଷୀ ନଥିବାରୁ କ୍ରାଇମବ୍ରାଞ୍ଚ ସାଇଣ୍ଟିଫିକ ପ୍ରମାଣ ଉପରେ ଗୁରୁତ୍ୱ ଦେଉଛି । ପୁଞ୍ଜିଲାଲ ନିଜର ତୀକ୍ଷ୍ଣ ବୁଦ୍ଧି ଖଟାଇ ତଥ୍ୟ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ ପାରିନ୍ତି ବୋଲି କ୍ରାଇମବ୍ରାଞ୍ଚ ସନ୍ଦେହ ପ୍ରକାଶ କରୁଛି । ସାଇଣ୍ଟିଫିକ ପ୍ରମାଣ ପାଇଁ କ୍ରାଇମବ୍ରାଞ୍ଚ ରାଜ୍ୟ ଓ ଦେଶ ବାହାରର ଫୋରେନସିକ ଲାବୋରେଟୋରିର ମଧ୍ୟ ସହାୟତା ଲୋଡିଛି ।

କ୍ରାଇମବ୍ରାଞ୍ଚ ସାଇଣ୍ଟିଫିକ ପ୍ରମାଣ ଯୋଗାଡ କରୁଥିବା ସମୟରେ ପୁଞ୍ଜିଲାଲ ସମ୍ପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି । ସ୍କାଏକିଙ୍ଗ କୋରିୟର ପୂର୍ବରୁ ପୁଞ୍ଜିଲାଲ ରାୟପୁରର ଆଉ ଏକ କୋରିୟରକୁ ଯାଇଥିଲେ । ଉକ୍ତ କୋରିୟର ସଂସ୍ଥା ତାଙ୍କୁ ପ୍ରମାଣପତ୍ର ମାଗିବାରୁ ସେ ସେଠାରୁ ଫେରିଆସିଥିଲେ । କ୍ରାଇମବ୍ରାଞ୍ଚ ଏହା ଜାଣିବା ପରେ ସଂପୃକ୍ତ କୋରିୟର ସଂସ୍ଥାକୁ ଯାଇ ପଚରାଉଚରା କରିବା ସହ ସିସିଟିଭି ଯାଞ୍ଚ କରିଥିଲା । ମାତ୍ର ଅଧିକ ଦିନ ବିତିଯାଇଥିବାରୁ ହାଡଡିସ୍କରୁ ସିସିଟିଭି ଫୁଟେଜ ଡିଲିଟ ହୋଇଯାଇଥିବାରୁ ଏହା କ୍ରାଇମବ୍ରାଞ୍ଚକୁ ସମସ୍ୟାରେ ପକାଇଥିଲା । କ୍ରାଇମବ୍ରାଞ୍ଚ ସିସିଟିଭିର ହାଡଡିସ୍କ ଜବତ କରିଥିଲେ ମଧ୍ୟ ତଥ୍ୟ ପ୍ରମାଣ ଲାଗି ହାଡଡିସ୍କକୁ ରିକୋଭରି କରିବାପାଇଁ ରାଜ୍ୟ ତଥା ଦେଶରେ କୌଣସି ଫୋରେନସିକ ଲାବୋରେଟୋରି ନଥିବାରୁ ଉକ୍ତ ହାଡଡିସ୍କକୁ ଖୁବଶୀଘ୍ର ଇସ୍ରାଏଲ ପଠାଯିବ । ଯାହାକି ପୁଞ୍ଜିଲାଲଙ୍କ ବିରୋଧରେ ଏକ ଠୋସ ପ୍ରମାଣ ହୋଇପାରିବ ।

ଏହାସହ ବଲାଙ୍ଗୀର ଏସପିଙ୍କ ପାଖକୁ ଏସକେ ସିଂହ୍ନା ନାଁରେ ଆସିଥିବା ଚିଠିର ଲଫାପା ମଧ୍ୟ ଯାଞ୍ଚ ହେବ । ଲଫାପାରେ ଥିବା ଫିଙ୍ଗର ପ୍ରିଣ୍ଟ ଓ ଅଠାରେ ଲାଗିଥିବା ଛେପର ଯାଞ୍ଚ କରାଯିବ । ଲଫାପାକୁ ଗାନ୍ଧୀନଗର ଫୋରେନସିକ ଲ୍ୟାବକୁ ପଠାଯିବ । ରିପୋର୍ଟ ଆସିବା ପରେ ସେଥିରେ ପୁଞ୍ଜିଲାଲଙ୍କ ଫିଙ୍ଗରପ୍ରିଣ୍ଟ ଥିବା ନେଇ ସ୍ପଷ୍ଟ ପ୍ରମାଣ ମିଳିପାରିବ । ଏଥିସହିତ ଲଫାପାରେ ଲାଗିଥିବା ଅଠା ଓ ପୁଞ୍ଜିଲାଲଙ୍କ ଛେପ ଡିଏନଏ ଟେଷ୍ଟ କରାଯିବ । ସେଣ୍ଟ୍ରାଲ ଫୋରେନସିକ ଲାବୋରେଟୋରିରେ ଏହାର ଯାଞ୍ଚ କରାଯିବ । ଯାହାଫଳରେ ତଦନ୍ତର ବାଟବଣା କରିବାକୁ ପୁଞ୍ଜିଲାଲ ଉଦ୍ୟମ କରିଥିବାର ଠୋସ ପ୍ରମାଣ ଭାବେ କୋର୍ଟରେ ଉପସ୍ଥାପନ କରାଯାଇପାରିବ । ସେହିପରି ବିସ୍ଫୋରଣ ଘଟିଥିବା ବାରୁଦ ଓ ପୁଞ୍ଜିଲାଲଙ୍କ ପାଖରୁ ମିଳିଥିବା ବାରୁଦର ସାମଞ୍ଜସ୍ୟ ନେଇ ମଧ୍ୟ ଯାଞ୍ଚ କରାଯିବ । କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲଙ୍କ ଘରେ ଥିବା ଏକ ଡଷ୍ଟବିନରୁ କିଛି ଧୂଆଁର ଆସ୍ତରଣ ସଂଗ୍ରହ କରିଛି । ପରେ ଏହାକୁ ମୃତ ସୌମ୍ୟଶେଖରଙ୍କ ଘରୁ ସଂଗ୍ରହ କରାଯାଇଥିବା ଧୂଆଁର ଲେପ ସହ ମେଳ କରାଯିବ । କ୍ରାଇମବ୍ରାଞ୍ଚ ଏସବୁ ତଥ୍ୟ ପ୍ରମାଣ ଯୋଗାଡ କରୁଥିବା ବେଳେ ଏ ସମ୍ପର୍କରେ ମଧ୍ୟ ପୁଞ୍ଜିଲାଲକୁ ପଚରାଉଚରା କରାଯାଉଛି ।

Sikshaya
Leave A Reply

Your email address will not be published.