ଛାତ୍ରଙ୍କ ଟୁଇଟ୍ ପରେ ବଦଳିଲା ‘ମୋ ବସ୍’ ଯାତାୟାତ ସମୟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୀର୍ଘ ୯ମାସ ପରେ ସାରା ରାଜ୍ୟରେ ସ୍କୁଲ ଖୋଲିଛି। ସ୍କୁଲ୍ ଖୋଲିବା ପରେ ଭୁବନେଶ୍ୱରର ଏମବିଏସ୍ ପବ୍ଲିକ୍ ସ୍କୁଲରେ ପଢ଼ୁଥିବା ଜଣେ ଛାତ୍ର ସାଇ ଅନ୍ୱେଷ ଅମୃତମ ପ୍ରଧାନଙ୍କ ଟୁଇଟ୍ ସାମାଜିକ ଗଣମାଧ୍ୟମର ଏବେ କେନ୍ଦ୍ରବିନ୍ଦୁ ପାଲଟିଛି। ଟ୍ୱିଟ୍ ମାଧ୍ୟମରେ ସାଇ ‘ମୋ ବସ୍’ର ଯାତାୟାତ ସମୟର ପରିବର୍ତ୍ତନ ପାଇଁ ଅପିଲ୍ କରିଥିବାବେଳେ ‘ମୋ ବସ୍’ର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ବସର ଯାତାୟାତ ସମୟ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ସାଇ ‘ମୋ ବସ୍’ରେ ଏମବିଏସ୍ ପବ୍ଲିକ୍ ସ୍କୁଲକୁ ପାଠପଢ଼ିବାକୁ ଯାଉଥିଲେ। ହେଲେ ଅନଲକ୍ ପର୍ଯ୍ୟାୟରେ ‘ମୋ ବସ୍’ ସେବା ଆରମ୍ଭ ହେବା ପରଠାରୁ ବସ୍ ପୁରୁଣା ସମୟରେ ଯାତାୟାତ କରୁନଥିଲା। ଫଳରେ ସେ ଠିକ୍ ସମୟରେ ସ୍କୁଲ ପହଞ୍ଚିବା ସମ୍ଭବପର ହେଉ ନ ଥିବା ନେଇ ‘କ୍ରୁଟ୍ ଭୁବନେଶ୍ୱର’ ଓ ଏହାର ମୁଖ୍ୟ ଅରୁଣ ବ୍ରୋଥାଙ୍କୁ ଶୁକ୍ରବାର ଅବଗତ କରିଥିଲେ। ଆଉ ଏହି ଟ୍ୱିଟ୍ ଉପରେ ତତ୍କାଳ ପଦକ୍ଷେପ ନେଇ ଛାତ୍ରଙ୍କ ସୁବିଧା ନିମନ୍ତେ ସୋମବାରଠାରୁ ସେହି ନିର୍ଦ୍ଦିଷ୍ଟ ମାର୍ଗରେ ଚଳପ୍ରଚଳ କରୁଥିବା ‘ମୋ ବସ୍’ର ସମୟରେ ପରିବର୍ତ୍ତନ କରିଥିବା ଶ୍ରୀ ବୋଥ୍ରା ନିଜେ ଶନିବାର ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଏମବିଏସ୍ ପବ୍ଲିକ ସ୍କୁଲ୍ର ଛାତ୍ର ସାଇ ଟ୍ୱିଟ୍ ମାଧ୍ୟମରେ ଦୈନିକ ସ୍କୁଲ ଯିବା ପାଇଁ ସେ ମୋ ବସ୍ ସେବା ଉପଯୋଗ କରୁଥିବା ପ୍ରକାଶ କରିଥିଲେ। କିନ୍ତୁ ଏବେ ବସ୍ ସମୟରେ ପରିବର୍ତ୍ତନ ହୋଇଯାଇଛି। ତାଙ୍କର ସ୍କୁଲରେ ରିପୋର୍ଟିଂ କରିବା ସମୟ ସକାଳ ସାଢ଼େ ୭ଟା ହୋଇଥିବାବେଳେ ସେ ରହୁଥିବା ଲିଙ୍ଗିପୁର ଦେଇ(ରୁଟ୍ ନମ୍ବର-୧୩) ପ୍ରଥମ ବସ୍ ସକାଳ ୭ଟା ୪୦ମିନିଟରେ ଲିଙ୍ଗିପୁରରୁ ଛାଡ଼ୁଛି।
ତେଣୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଥିଲେ। ଛାତ୍ର ସାଇ କରିଥିବା ଟ୍ୱିଟ୍ ଉପରେ ଶନିବାର ସକାଳେ କ୍ରୁଟ୍ (କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ) ପ୍ରତିକ୍ରିୟା ଦେଇ ଏହା ଉପରେ ଯାହାକିଛି କରାଯାଇପାରିବ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନା ଦେଇଥିଲା। ତେବେ କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ଅରୁଣ ବ୍ରୋଥା ଶନିବାର ଅପରାହ୍ନରେ ଟ୍ୱିଟ୍ ମାଧ୍ୟମରେ ଛାତ୍ର ସାଇଙ୍କୁ ସେହି ରୁଟ୍ରେ ଚାଲୁଥିବା ବସର ସମୟରେ ପରିବର୍ତ୍ତନ କରାଯାଇଛି ଓ ସ୍କୁଲ ପହଞ୍ଚିବାରେ ବିଳମ୍ବ ହେବ ନାହିଁ ବୋଲି ଜଣାଇଛନ୍ତି। ପ୍ରଥମ ବସ୍ ସକାଳ ୭ଟାରେ ଛାଡ଼ିବ ବୋଲି ସେ କହିଛନ୍ତି। କ୍ରୁଟ୍ ଭୁବନେଶ୍ୱରର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବୋଥ୍ରାଙ୍କର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ବେଶ୍ ପ୍ରଶଂସା କରାଯାଇଥିବାବେଳେ ମୋ ବସର ପରିଚାଳନାରେ ଏହା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ହେବ ବୋଲି ଜନସାଧାରଣ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.