ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତ ବୈଶ୍ୱିକ ସ୍ୱାସ୍ଥ୍ୟର ନିୟନ୍ତ୍ରଣ କେନ୍ଦ୍ର ଭାବେ ଉଭା ହୋଇଥିବା କଥା ଗୁରୁବାର ଦିନ ଗୁଜରାଟର ରାଜକୋଟରେ ‘ଅଲ୍ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍’ର (ଏମ୍ସ୍) ଶିଳାନ୍ୟାସ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସ୍ୱାସ୍ଥ୍ୟର ଭବିଷ୍ୟତ ଏବଂ ଭବିଷ୍ୟତର ସ୍ୱାସ୍ଥ୍ୟରେ ଭାରତ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆବଶ୍ୟକ ମୁତାବକ ଉପାୟ ଅବଲମ୍ବନ କରି ତାହାର କ୍ରମୋନ୍ନତି ଏବଂ ସମ୍ପ୍ରସାରଣ କରିବାର ସାମର୍ଥ୍ୟ ପ୍ରତିପାଦିତ କରି ଭାରତ ଏକଥା ପ୍ରମାଣିତ କରିଥିବା କଥା ସେ କହିଛନ୍ତି।
ସେ ପୁଣି କହିଛନ୍ତି ଯେ, ସବୁବେଳେ ମାନବତା ଉପରେ ଆମର ଧ୍ୟାନ ଥିବାରୁ ଭାରତ ବୈଶ୍ୱିକ ସ୍ୱାସ୍ଥ୍ୟର ନିୟନ୍ତ୍ରଣ କେନ୍ଦ୍ର ଭାବେ ଉଭା ହୋଇଛି। ଆମକୁ ନିରାପଦ ରଖିବାକୁ ଜୀବନରୁ ପାଣି ଛଡ଼ାଇ କାମ କରିଥିବା ସମସ୍ତ ସ୍ୱାସ୍ଥ୍ୟ ସେବାକର୍ମୀଙ୍କ ପ୍ରତି ୨୦୨୦ର ଅନ୍ତିମ ଦିନଟିକୁ ଉତ୍ସର୍ଗ କରାଯାଇଥିବା କଥା ଚଳିତ ବର୍ଷକୁ ବିଦାୟ ଦେବା କ୍ଷଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଏହି ପ୍ରକଳ୍ପ ହଜାର ହଜାର କର୍ମସଂସ୍ଥାନ ସୃଷ୍ଟି କରିବା ସହ ଉତ୍ତମ ସ୍ୱାସ୍ଥ୍ୟ ସେବା ଏବଂ ଗୁଜରାଟର ବିକାଶ କରିବ ବୋଲି ସେ କହିବା ସହ ଆହୁରି ମଧ୍ୟ କହିଛନ୍ତି, ସ୍ୱାଧୀନତାର ଏତେଗୁଡ଼ାଏ ବର୍ଷ ପରେ ଆମେ ମାତ୍ର ୬ଟି ଏମ୍ସ୍ ସ୍ଥାପନ କରି ପାରିଛନ୍ତି। ୬ଟି ‘ଏମ୍ସ୍’ ସ୍ଥାପନ କରିବାକୁ ୨୦୦୩ରେ ଅଟଳ ଜୀଙ୍କ ସରକାର ଉପକ୍ରମ କରିଥିଲେ। ଆମେ ଆଉ ୧୦ଟି ‘ଏମ୍ସ୍’ ସ୍ଥାପନ ଲାଗି ଗତ ୬ ବର୍ଷ ହେବ କାର୍ଯ୍ୟ ଆରମ୍ଭ କରିଛୁ।
ଗୁଜରାଟରେ ‘ଏମ୍ସ୍’ ସ୍ଥାପନ ନିମନ୍ତେ ୨୦୧ ଏକର ଜମି ଯୋଗାଇ ଦିଆଯାଇଛି। ୨୦୨୨ ମଧ୍ୟଭାଗ ବେଳକୁ ଶେଷ ହେବାକୁ ଥିବା ଏହି ପ୍ରକଳ୍ପ ନିମନ୍ତେ ପ୍ରାୟ ୧, ୧୯୫ କୋଟି ଟଙ୍କା ବ୍ୟୟ କରାଯିବ।
