ନବୀନଙ୍କୁ ଟାର୍ଗେଟ କଲେ ମୋଦି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ଓଡ଼ିଶା ଗ୍ରସ୍ତରେ ଆସି ତାଳଚେରରେ ସାର କାରଖାନାର ପୁନରୁଦ୍ଧାର ପାଇଁ ଶିଳାନ୍ୟାସ କରିବାପରେ ଝାରସୁଗୁଡା ବିମାନବନ୍ଦରକୁ ଉଦଘାଟନ କରିଥିଲେ ।

ତାଳଚେର ଓ ଝାରସୁଗୁଡାରେ ଆୟୋଜିତ ହୋଇଥିବା ସଭାରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ପ୍ରଥମେ ତାଳଚେର ରେ ଆୟୋଜିତ ସଭାରେ କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନାରେ ଓଡିଶା ସମିଲ ନହେବା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ଏହି ଯୋଜନାକୁ ଗ୍ରହଣ କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଥିଲେ । ଏହା ସହ ଓଡ଼ିଶାରେ ସ୍ୱାସ୍ଥ୍ୟସେବା କଥା କାହାକୁ ଅଛୁପା ନୁହେଁ ବୋଲି ମଧ୍ୟ କହିଥିଲେ । ଜନଧନ ଯୋଜନାରେ ଓଡ଼ିଶାରେ ୧ କୋଟି ୩୦ ଲକ୍ଷ ଖାତା ଖୋଲିଛି । ସ୍ୱଚ୍ଛତା ମିଶନରେ ଓଡ଼ିଶା ବହୁ ପଛରେ ଅଛି । ସ୍ୱଚ୍ଛତାକୁ ନବୀନ ପ୍ରାଥମିକତା ଦେବାକୁ ଆହ୍ୱାନ ଦେଇଥିଲେ ମୋଦି ।

ସେହିପରି ରାଜ୍ୟ ସରକାର ବାହାବା ନେଉଥିବା ଟଙ୍କିକିଆ ଚାଉଳକୁ ଟାର୍ଗେଟ୍ କରି ପ୍ରଧାନମନ୍ତ୍ରୀ କହିଥିଲେ, ରାଜ୍ୟ ସରକାର ଯେଉଁ ଟଙ୍କିକିଆ ଚାଉଳ ଦେଉଛନ୍ତି ସେଥିରେ କେନ୍ଦ୍ର ସରକାରଙ୍କ ଅବଦାନ ୨୫ ରୁ ୩୦ ଟଙ୍କା । ଏଥିପାଇଁ ପ୍ରତି ମାସରେ ଓଡ଼ିଶାକୁ କେନ୍ଦ୍ର ୪୫୦ କୋଟି ଦେଉଛି ।

ଝାରସୁଗୁଡା ବିମାନବନ୍ଦର ଉଦଘାଟନ ପରେ ସେଠାରେ ଆୟୋଜିତ ସଭାରେ କହିଲେ ଓଡିଶା ରେ ପିସି କାରବାର ବିନା କିଛି ସମ୍ଭବ ନୁହେଁ ତେଣୁ ରାଜ୍ୟ ଆଗକୁ ଅଗ୍ରସର ହୋଇପାରୁନାହିଁ । ଏଠି ଭ୍ରଷ୍ଟାଚାର ଓ ବିଳମ୍ବିତ ନିଷ୍ପତ୍ତି ଓଡ଼ିଶା ସରକାରର ପରିଚୟ ହେଲାଣି । ଅପପୁଷ୍ଟି, ବେକାରୀ ସମସ୍ୟା ଓ ମାତୃ ଶିଶୁ ମୃତ୍ୟୁ ହାର ଗମ୍ଭୀର ସ୍ଥିତିରେ ଅଛି ବୋଲି କହିଛନ୍ତି ମୋଦି । ଏହା ସହ ଓଡ଼ିଶାରେ ସରକାର ପରିବର୍ତ୍ତନ ର ଆବଶ୍ୟକତା ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.