୭ମାସର କନ୍ୟାକୁ ମା ନିଆଁରେ ପୋଡି ମାରିଦେଲା

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଭୁବନେଶ୍ୱରର ସାଲିଆସାହିରେ ଏକ ଅଭାବନୀୟ ଘଟଣା ଘଟିଛି । ମାନସିକ ବିକୃତ ମା’ ର ଅମାନୁଷିକତା ୭ ମାସର ଶିଶୁକନ୍ୟାକୁ ନିଆଁରେ ପୋଡି ମାରିଦେଇଛି । ଶିଶୁକୁ ବ୍ୟାଗରେ ଭର୍ତ୍ତି କରି କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲା । ସ୍ଥାନୀୟ ଲୋକ ଦେଖି ଶିଶୁକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ଶିଶୁକନ୍ୟାର ମୃତ୍ୟୁ ହୋଇଛି । ଅଭିଯୋଗ ହେବା ପରେ ନୟାପଲ୍ଲୀ ପୋଲିସ ମା’ ସୁନି ପିଙ୍ଗୁଆ (୩୦)କୁ ଗିରଫ କରିଛି ।

ଘଟଣା କ୍ରମେ

କେନ୍ଦୁଝର ଜିଲ୍ଲା ଧେକଟାଟାଙ୍ଗି ଅଞ୍ଚଳର ରଘୁନାଥ ପିଙ୍ଗୁଆ ଓ ପତ୍ନୀ ସୁନି ପିଙ୍ଗୁଆ ସାଲିଆସାହିର ଶକ୍ତିବିହାର ବସ୍ତିରେ ରହୁଛନ୍ତି । ରଘୁନାଥ ଦିନମଜୁରିଆ ଭାବେ କାମ କରି ପରିବାର ପୋଷଣ କରନ୍ତି । ରଘୁନାଥଙ୍କ ପ୍ରଥମ ସ୍ତ୍ରୀର ମୃତ୍ୟୁ ପରେ ସେ ଦେଢ଼ ବର୍ଷ ତଳେ ସୁନିକୁ ଦ୍ୱିତୀୟ ବିବାହ କରିଥିଲେ । ଉଭୟଙ୍କର ଏକ ୭ମାସର ଶିଶୁ କନ୍ୟା ରହିଛି । କିଛଦିନ ହେଲା ଦ୍ୱିତୀୟ ପତ୍ନୀ ସୁନିର ମାନସିକ ବିକୃତି ଘଟିବା ପରେ ପରିବାର ମଧ୍ୟରେ କଳିଝଗଡା ଲାଗି ରହିଥିଲା ।

ଗୁରୁବାର ସକାଳୁ ରଘୁନାଥ ନିଜ କାମରେ ବାହାରକୁ ଯାଇଥିଲା । ସକାଳ ପ୍ରାୟ ସାଡେ ୭ଟା ବେଳେ ସୁନି ଶିଶୁକନ୍ୟାକୁ ଏକ ଜରି ବ୍ୟାଗ ଭିତରେ ଭର୍ତ୍ତି କରିଥିଲା । ପରେ ତା’ ଉପରେ କିଛି ଲୁଗା ରଖି କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲା । ଏପରି ଜରି ବ୍ୟାଗର ତଳପଟୁ ମଧ୍ୟ ନିଆଁ ଲଗାଇ ଦେଇଥିଲା । ଶିଶୁକନ୍ୟାର ଚିତ୍କାର ଓ କାନ୍ଦ ଶୁଣି ଆଖପାଖ ଲୋକେ ଦୌଡି ଆସିଥିଲେ । ସେମାନେ ଶିଶୁକୁ ଉଦ୍ଧାର କରି କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଥିଲେ ।

ଶିଶୁ କନ୍ୟାର ଶରୀରର ପ୍ରାୟ ୮୦ ଭାଗ ପୋଡି ଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ତାକୁ କଟକ ବଡମେଡିକାଲକୁ ପଠାଇ ଦିଆଯାଇଥିଲା । ବିଳମ୍ବିତ ରାତିରେ ଶିଶୁକନ୍ୟାର ମୃତ୍ୟୁ ଘଟିଥିଲା । ପୋଲିସ ଶବ ଜବତ କରିବା ସହ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ।

ମୃତ ଶିଶୁକନ୍ୟାର ବାପା ରଘୁନାଥର ଏତଲା କ୍ରମେ ପୋଲିସ ଅଭିଯୁକ୍ତ ମା’ ସୁନିକୁ ହେପାଜତକୁ ନେଇ ପଚରାଉଚରା କରୁଛି । ତେବେ ସେ ମାନସିକ ବିକୃତ ଥିବାରୁ ପୋଲିସକୁ କୌଣସି ପ୍ରଶ୍ନର ଉତ୍ତର ଦେଉନାହିଁ । ପୋଲିସ ଘଟଣାସ୍ଥଳରୁ ପୋଡା କପଡା, ଜରି ବ୍ୟାଗ ଓ ଡିବିରିବତୀକୁ ଜବତ କରି ତଦନ୍ତ ଜାରି ରଖିଥିବା ବେଳେ ବିଳମ୍ବିତ ରାତିରେ ସୁନିକୁ ଗିରଫ କରିଥିଲା ।

Leave A Reply

Your email address will not be published.