ରାଜଧାନୀରେ ଗୋଟିଏ ଦିନରେ ହେବ ମା’ ଦୁର୍ଗାଙ୍କ ଭସାଣି

0

ରାଜଧାନୀ ଭୁବନେଶ୍ବରରେ ଚଳିତ ବର୍ଷ ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ମା’ ଦୁର୍ଗାଙ୍କ ପୂଜା ପରେ ଗୋଟିଏ ଦିନରେ ଭସାଣି ଅନୁଷ୍ଠିତ ହେବ। ସ୍ଥାନୀୟ ଝାଡେଶ୍ୱରୀ ମନ୍ଦିର ପରିସରରେ ଆଜି କମିସନରେଟ ପୋଲିସ ଓ ରାଜଧାନୀ ମନ୍ଦିର ସୁରକ୍ଷା ଭସାଣି କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଏହି ବୈଠକରେ ଭୁବନେଶ୍ୱରସ୍ଥିତ ସମସ୍ତ ଥାନାର ଥାନା ଅଧିକାରୀ, ବରିଷ୍ଠ ପୋଲିସ ଅଧିକାରୀ ଏବଂ ୨୧ଟି ପୂଜା କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଦୁର୍ଗାପୂଜା ଏବଂ ଭସାଣିକୁ କିଭଳି ସୁରୁଖୁରୁରେ ସମାପନ କରାଯିବ ସେ ନେଇ ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଥିଲା। ଏଥି ସହ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାମାନେ ସେମାନଙ୍କ ମଣ୍ଡପରେ ପୂଜାକୁ ନେଇ ଉପୁଜିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ପୋଲିସ ପ୍ରସାସନକୁ ଅବଗତ କରାଇବା ସହ ସମାଧାନର ବାଟ ମଧ୍ୟ ବାହାରକରିଥିଲେ। କେଉଁଭଳି ଭାବେ ଭକ୍ତ ଓ ଶ୍ରଦ୍ଧାଳୁମାନେ ସୁରୁଖୁରୁରେ ଏବଂ ସୁରକ୍ଷିତ ଭାବେ ମା’ଙ୍କ ଦର୍ଶନ କରିପାରିବା ସହ ଭସାଣି ଶୋଭାଯାତ୍ରା ଦେଖିପାରିବେ। ସେନେଇ ରୋଡ଼ ମ୍ୟାପ ମଧ୍ୟ ପ୍ରସ୍ତୁତ ହୋଇଛି।

ଅତିରିକ୍ତ ଡେପୁଟି କମିସନର ଅଫ ପୋଲିସ ତରୁଣ କୁମାର ଦାସ କହିଛନ୍ତି ଯେ, ରାଜଧାନୀରେ ସମସ୍ତ ପୂଜା ମଣ୍ଡପ ଭସାଣି ଗୋଟିଏ ଦିନରେ କରାଯିବ। ସମସ୍ତ ପୂଜା ମଣ୍ଡପ ଭସାଣି ଦିନ ନିଜ ମେଢ଼ ଆଣି ନୟାପଲ୍ଲୀ ନିକଟରେ ଏକତ୍ରିତ ହେବେ। ସେହିଠାରୁ ସାମୁହିକ ଭସାଣି ଆରମ୍ଭ ହେବ। କମିସନରେଟ ପୋଲିସ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନ ଅନୁସାରେ ହେବ ଭସାଣି। ମଣ୍ଡପରେ ବାଧ୍ୟତାମୂଳକ ଭାବେ ସିସିଟିଭି ଲାଗିବ। ସେହିପରି ଅଗ୍ନି ନିରାପତ୍ତା ବ୍ୟବସ୍ଥା ସବୁ ମଣ୍ଡପରେ ରହିବ।

SOA post below
Leave a comment