ବାଙ୍ଗାଲୋର ଗ୍ୟାସ ସିଲିଣ୍ଡର ଦୁର୍ଘଟଣାର ମୃତକଙ୍କ ପରିବାରକୁ ଅଚ୍ୟୁତ ସାମନ୍ତ ବଢାଇଲେ ସହାୟତାର ହାତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ ୧୪ ତାରିଖରେ ବାଙ୍ଗାଲୋରଠାରେ ଗ୍ୟାସ ସିଲିଣ୍ଡର ଫାଟି ଘଟିଥିବା ଦୁର୍ଘଟଣାରେ କନ୍ଧମାଳ ଜିଲ୍ଲାର ମୃତକଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି କନ୍ଧମାଳ ସାଂସଦ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । ଦୁର୍ଘଟଣା ଘଟିବା ଖବର ଜାଣିବା ପରେ ଶ୍ରୀ ସାମନ୍ତ କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ବାଙ୍ଗାଲୋରସ୍ଥିତ ଇଣ୍ଡିଆନ ସୋସିଆଲ ଇନଷ୍ଟିଚ୍ୟୁଟ ସହ ଯୋଗାଯୋଗ କରି ସେମାନଙ୍କ ମୃତ ଶରୀରକୁ ବାଙ୍ଗାଲୋରରୁ ଆମ୍ବୁଲାନସ ଯୋଗେ ସେମାନଙ୍କ ଗ୍ରାମକୁ ଆଣିବା ବ୍ୟବସ୍ଥା କରାଇଥିଲେ । ଏଥିପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ବାଙ୍ଗାଲୋର ପ୍ରଶାସନକୁ ଶ୍ରୀ ସାମନ୍ତ ସାଧୁବାଦ ଜଣାଇଛନ୍ତି । ପରେ ବିଧି ଅନୁସାରେ ସେମାନଙ୍କ ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହୋଇଥିଲା ।

ଏହି ଦୁର୍ଘଟଣାରେ ଜିଲ୍ଲାର ଦାରିଙ୍ଗିବାଡି ବ୍ଲକ ଗାହକିଆ ଗ୍ରାମର ବାରଣୀ ପ୍ରଧାନ, ମମତା ପ୍ରଧାନ ଓ କୋଟଗଡ ବ୍ଲକ ଶ୍ରୀରାମପୁର ଗ୍ରାମର ଉଦାମ ସୁନାମାଝୀଙ୍କ ମୃତ୍ୟୁ ଘଟିଥିବା ବେଳେ ଦାରିଙ୍ଗିବାଡି ବ୍ଲକ ଗାହକିଆ ଗ୍ରାମର ଅଞ୍ଜଳି ପ୍ରଧାନ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାରେ କନ୍ଧମାଳ ସାଂସଦ ଶ୍ରୀ ସାମନ୍ତ ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି । ଏହି ଘଟଣାରେ ଶ୍ରୀ ସାମନ୍ତ ଗଭୀର ଦୁଃଖ ପ୍ରକାଶ କରିବା ସହ କିସ ଫାଉଣ୍ଡେସନ ପକ୍ଷରୁ ସେମାନଙ୍କ ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ମୃତକଙ୍କ ପରିବାରକୁ ଚିଠି ଲେଖି ଜଣାଇଛନ୍ତି । ଏହା ସହ ସେମାନଙ୍କ ପରିବାରର କେହି ପିଲା କିଟ୍ ଓ କିସ୍ ରେ ପାଠ ପଢିବା ପାଇଁ ଇଚ୍ଛୁକ ଥିଲେ ବିନା ଦେୟରେ ସେମାନଙ୍କ ଯୋଗ୍ୟତା ଅନୁସାରେ ପାଠ ପଢି ପାରିବେ ବୋଲି ଶ୍ରୀ ସାମନ୍ତ ସୂଚନା ଦେଇଛନ୍ତି । ଶ୍ରୀ ସାମନ୍ତଙ୍କ ସହାୟତା ପାଇଁ ମୃତକଙ୍କ ପରିବାର ଧନ୍ୟବାଦ ସହ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.