ଜୁନ୍ ସୁଦ୍ଧା ପୌର ନିର୍ବାଚନ! ଶୀତ ଅଧିବେଶନରେ ହୋଇପାରେ ଆଇନ୍ ସଂଶୋଧନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ପୌର ନିର୍ବାଚନକୁ ନେଇ ୨ ବର୍ଷ ହେବ ଅଚଳାବସ୍ଥା ଲାଗି ରହିଛି। କିନ୍ତୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେବା ପାଇଁ ତାରିଖ ଘୋଷଣା ପରେ ୨୦୨୧ ଜୁନ୍ ମାସ ସୁଦ୍ଧା ରାଜ୍ୟରେ ପୌର ନିର୍ବାଚନ ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ବସିବାକୁ ଥିବା ଶୀତ ଅଧିବେଶନରେ ପୌର ନିୟମ ସଂଶୋଧନ ନେଇ ବିଧେୟକ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି। ଆଇନ୍ ପରିବର୍ତ୍ତନ ପରେ ନିର୍ବାଚନ ହେବ ବୋଲି ଜଣାପଡ଼ିଛି। ପୂର୍ବରୁ ସଂରକ୍ଷଣ ହାର ୫୦ ପ୍ରତିଶତରୁ ଅଧିକ ଥିବାରୁ ଏନେଇ ହାଇକୋର୍ଟରେ ମାମଲା ହୋଇଥିଲା। ଯାହାକି ବିଚାର କରି ସଂରକ୍ଷଣ ୫୦ ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ମଧ୍ୟ ହାଇ କୋର୍ଟଙ୍କ ରାୟକୁ କାୟମ ରଖିଥିଲେ। ତେବେ ଏହାପରେ ରାଜ୍ୟ ସରକାର ଆଇନରେ ପରିବର୍ତ୍ତନ କରିବାର ବିଧି ରହିଥିବାରୁ ନିର୍ବାଚନ ନିଷ୍ପତ୍ତି ଝୁଲି ରହିଥିଲା।
ହେଲେ ଆଗାମୀ ଅଧିବେଶନରେ ଏହି ଆଇନରେ ପରିବର୍ତ୍ତନ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ଆଇନ୍ ପାରିତ ହେବା ପରେ

ସରକାର ପୌର ନିର୍ବାଚନ ପାଇଁ କିଭଳି ପ୍ରସ୍ତୁତ ହେଉଛନ୍ତି ସେନେଇ ରାଜ୍ୟ ନିର୍ବାଚନ କମିସନଙ୍କୁ ଅବଗତ କରାଇବେ। ଏହା ପରେ କମିସନ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବେ। ୱାର୍ଡ ପୁନର୍ଗଠନ, ଭୋଟର ତାଲିକା ପ୍ରସ୍ତୁତି ସହ ନିର୍ବାଚନ କରାଇବାକୁ ପ୍ରାୟ ୬ ମାସ ସମୟ ଆବଶ୍ୟକ ବୋଲି ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ସେହିପରି ପୌରାଞ୍ଚଳର ସୀମା ପୁନଃନିର୍ଦ୍ଧାରଣ, ସ୍ଥାନ ସଂରକ୍ଷଣ ଓ ନିର୍ବାଚନ ପରିଚାଳନା ନିୟମ ୧୯୯୪ରେ ସଂଶୋଧନ ଆସିବା ପରେ ୨୦୨୧ ଜୁନ୍ ସୁଦ୍ଧା ପୌର ନିର୍ବାଚନ ହୋଇପାରେ ବୋଲି ନଗର ଉନ୍ନୟନ ବିଭାଗ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି।

Leave A Reply

Your email address will not be published.