ନିଜେ ସାନିଟାଇଜର ପିଇ ପ୍ରେମିକାକୁ ହତ୍ୟା ଉଦ୍ୟମ କଲେ ଯୁବକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଝାରସୁଗୁଡ଼ା ଜିଲ୍ଲା ବଡମାଲ ଥାନା ଅଞ୍ଚଳରେ ଜଣେ ଯୁବକ ପ୍ରେମିକାର ତଣ୍ଟି କାଟି ହତ୍ୟା ଉଦ୍ୟମ କରିବା ସହ ନିଜେ ସାନିଟାଇଜ ପିଇ ଆତ୍ମହତ୍ୟା ଉଦ୍ୟମ କରିଛି। ଉଭୟଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲଥିବା ତଦନ୍ତକାରୀ ଅଧିକାରୀ ମନୀଷା ଭକ୍ତା ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଝାରସୁଗୁଡା ଜିଲ୍ଲା ବଡ଼ମାଲ ଅଞ୍ଚଳରେ ରହି ବାଲେଶ୍ୱରର ସିପମ ଜେନା(୨୬) ଏକ ଘରୋଇ ସଂସ୍ଥାରେ କାମ କରୁଥୁଲେ। ଏହି ସମୟରେ ଜଣେ ଟ୍ରାନ୍ସପୋଟରଙ୍କ ସହ ତାଙ୍କର ଚିହ୍ନା ପରିଚୟ ହୋଇଥିଲା। ଫଳରେ ସେ ନିୟମିତ ବାରେ ଟ୍ରାନ୍ସପୋଟରଙ୍କ ଘରକୁ ଯିବା ଆସିବା କରିଥିଲେ।
ଏହାଭିତରେ ଟ୍ରାନ୍ସପୋର୍ଟରଙ୍କ ଝିଅ ସହ ସିପମଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏହାପରେ ଝିଅଟି ଛତିଶଗଡ଼କୁ ପାଠ ପଢ଼ିବା ପାଇଁ ଯାଇଥିଲା। ପରେ ସିପମ ମଧ୍ୟ ଛତିଶଗଡ଼କୁ ଯାଇ ଏକ କମ୍ପାନୀରେ କାମ କରିବାକୁ ଲାଗିଲେ। ସେଠାରେ ସେମାନେ ରେଜିଷ୍ଟ୍ରି ବିବାହ ମଧ୍ୟ କରିଥିବା ସିପମ କହିଛନ୍ତି।
ଲକଡାଉନ ସମୟରେ ଯୁବତୀ ଜଣଙ୍କ ଘରକୁ ଫେରିବା ପରେ ସିପମଙ୍କ ସହ ଭଲ ଭାବରେ କଥାବାର୍ତ୍ତା କରୁନଥିବା ସେ ଅନୁଭବ କରିଥିଲେ। ଫଳରେ ସେ ଯୁବତୀଙ୍କ ଘରକୁ ଆସି ବୁଝାସୁଝା କରିଥିଲେ। ଏହି ବୁଝାସୁଝା ସମୟରେ କାଳେ ସେମାନଙ୍କ ସମ୍ପର୍କ ଶେଷ ହୋଇଯାଇଛି ଅନୁଭବ କରି ସିପମ ନିଜେ ସାନିଟାଇଜର ପିଇବା ସହ ଯୁବତୀଙ୍କ ବେକକୁ କାଟି ଦେଇଥିଲେ। ଏହାପରେ ଯୁବତୀଙ୍କ ପରିବାର ଲୋକେ ସେମାନଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରିବା ସହ ବଡ଼ମାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ବଡ଼ମାଲ ପୁଲିସ କେସ୍ ନମ୍ବର-୧୮୮/୨୦ ରୁଜୁ କରି ତଦନ୍ତ ଚଳାଇଛି।

Leave A Reply

Your email address will not be published.