ଓଡିଶା ଫାଷ୍ଟ(ବ୍ୟୁରୋ) : କିଛି ଦୁର୍ବୃତ୍ତ ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡ଼ାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ହତ୍ୟାକାରିଙ୍କ ଗିରଫଦାରୀ ଦାବିରେ ସ୍ଥାନୀୟ ଲୋକେ କାମାକ୍ଷାନଗର ହନୁମାନ ବଜାରଠାରେ ୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି।
ପୋଲିସ ହତ୍ୟାରେ ବ୍ୟବହୃତ ବୋଲେରୋ ଗାଡିକୁ କାଇରି-ମାଝିସାହି ନିକଟ ରାମିଆଳ ନଦୀକୂଳରୁ ଜବତ କରିବାସହ ହତ୍ୟାକାରୀ ଙ୍କୁ ଧରିବାକୁ ଛାନଭିନ ଚଳାଇ ଜାଣିବାକୁ ପାଇଥିଲେ କି ଗଡ଼ିଟି ୧୫ଦିନ ତଳୁ ଭୁବନେଶ୍ୱର ସହିଦନଗର ଅଞ୍ଚଳରୁ ଚୋରି ହୋଇଥିଲା। ସିସିଟିଭି ପୁଟେଜରୁ ହତ୍ୟାକାରୀଙ୍କ ପାଖରେ ପହଞ୍ଚିବାରେ ସକ୍ଷମ ହୋଇପାରିଛି ପୋଲିସ ବୋଲି ଜଣାପଡିଛି । ଖୁବଶୀଘ୍ର ହତ୍ୟାକାରୀଙ୍କୁ ଗିରଫ କରିବା ସହ ହତ୍ୟାକାଣ୍ଡର ରହସ୍ୟ ସାମ୍ନାକୁ ଆଣିବ ପୋଲିସ।
ତା୨୬ ରିଖ ସକାଳ ପ୍ରାୟ ୧୦ଟା। କାମାକ୍ଷାନଗରରେ ନିର୍ମାଣାଧୀନ ଘର କାମ ଦେଖି ନିଜ ଔଷଧ ଦୋକାନକୁ କାର୍ରେ ଯାଉଥିଲେ ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ। ଗାନ୍ଧି ମନ୍ଦିର ନିକଟରେ ୪ ଦୁର୍ବୃତ୍ତ ସମ୍ମୁଖରୁ ଏକ ବୋଲେରୋ ରେ ଆସି ବିଚ୍ ରାସ୍ତାରେ ତାଙ୍କୁ ଗୁଳି କରିବା ସହ ବୋମା ମାଡ଼ ମଧ୍ୟ କରିଥିଲେ। ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିରୁ ବର୍ତ୍ତିବାପାଇଁ ପ୍ରାଣ ବିକଳରେ କାରରୁ ବାହାରି ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ । ଆଉ ଶେଷରେ ଆତତାୟୀଙ୍କ ଗୁଳି ମାଡ଼ରେ ଟଳି ପଡିଥିଲେ ଯଶୋବନ୍ତ।
ପୂର୍ବରୁ ମଧ୍ୟ ୨୦୧୪ ଜାନୁୟାରୀରେ ବ୍ୟାବସାୟିକ ଶତ୍ରୁତାରୁ ଯଶୋବନ୍ତଙ୍କ ଉପରକୁ ହୋଇଥିବା ଗୁଳିମାଡ଼ରୁ ସେ ଅଳ୍ପକେ ବର୍ତ୍ତିଯାଇଥିଲେ।
ଯଶୋବନ୍ତ ଥିଲେ କାମାକ୍ଷାନଗର ପୂର୍ବତମ ପୌରଧ୍ୟକ୍ଷ। ସେ ଜଣେ ବ୍ୟବସାୟୀ ଓ ରାଜନେତା। ତାଙ୍କର ଏକ ଔଷଧ ଦୋକାନ ଅଛି। ଏହାସହ ସେ କାମାକ୍ଷାନଗର ବସ୍ ମାଲିକ ସଂଘର ସମ୍ପାଦକ। କ୍ରମାଗତ ତୃତୀୟ ଥର ପାଇଁ ସେ ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ହୋଇଥିଲେ। ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କର ସେ ଅତି ଘନିଷ୍ଠ ବୋଲି କୁହାଯାଉଛି।
କାମାକ୍ଷାନଗର ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ନୃସିଂହ ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଘଟଣାର ସଠିକ୍ ତଦନ୍ତ ପାଇଁ ନିବେଦନ କରିଛନ୍ତି।
