ୟୁ-ଟ୍ୟୁବରୁ ମର୍ଡର ଟ୍ରିକ୍ ଶିଖି ହତ୍ୟା କଲା ୧୬ ବର୍ଷ ତଳ ପ୍ରେମିକାର ସ୍ୱାମୀକୁ

0

ଓଡିଶା ଫାଷ୍ଟ(ବ୍ୟୁରୋ): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅଧିନସ୍ଥ ଅଞ୍ଚଳରେ ୧୨ ଦିନ ତଳେ ହୋଇଥିବା ହତ୍ୟାକାଣ୍ଡର ପର୍ଦାଫାଶ କରିଛି ପୋଲିସ । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥାହେଲା ଅଭିଯୁକ୍ତ ୟୁ-ଟ୍ୟୁବରୁ ହତ୍ୟାକାଣ୍ଡର ଟ୍ରିକ୍ ଶିଖିଥିବା ସ୍ୱୀକାର କରିଛି ।

ସୂଚନା ଅନୁଯାୟୀ, ମୁନିଗୁଡ଼ା ଥାନା ଅଧିନସ୍ଥ କୁଟ୍ରାଗଡ଼ ଅଞ୍ଚଳର ଶିକ୍ଷକ ରାମଚନ୍ଦ୍ର ମହାନନ୍ଦିଆଙ୍କ ଗତ ୧୯ ତାରିଖ ସନ୍ଧ୍ୟା ୭ଟା ସମୟରେ ହତ୍ୟା ହୋଇଥିଲା । ଏହି ହତ୍ୟା ଘଟଣାର ପର୍ଦାଫାଶ କରିବାକୁ ଫୁଲ ଦମ ଲଗାଇଥିଲା ପୋଲିସ । ଘଟଣାଟି ଥିଲା ଏହିପ୍ରକାରର ରାମଚନ୍ଦ୍ର ମହାନନ୍ଦିଆଙ୍କ ପତ୍ନୀଙ୍କର ୧୬ ବର୍ଷତଳେ ଗୁଣୁପୁର ଅମ୍ବେଦକର ନଗର ରମେଶ ପାତିକାଙ୍କ ସହ ପ୍ରେମ ସମ୍ପର୍କ ଥିଲା । ମାତ୍ର ଉଭୟ ବିବାହ କରିପାରିନଥିଲେ । ପରେ ରାମଚନ୍ଦ୍ରଙ୍କ ବିବାହ ରମେଶଙ୍କ ପ୍ରେମିକା ସହ ହୋଇଥିଲା । ସେମାନଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ମଧ୍ୟ ରହିଛି । ମାତ୍ର ପୁରୁଣା ପ୍ରେମ ସଂପର୍କକୁ ଭୁଲି ପାରିନଥିଲା ଅଭିଯୁକ୍ତ ରମେଶ ଓ ତା’ର ପ୍ରେମିକା । ରାମଚନ୍ଦ୍ରଙ୍କ ସହ ଝଗଡ଼ା ହେବା ପରେ ପୁରୁଣା ପ୍ରେମିକ ରମେଶକୁ ସବୁକିଛି ଜଣାଇଥିଲେ ରାମଚନ୍ଦ୍ରଙ୍କ ପତ୍ନୀ ।

ଏସବୁରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ରମେଶ ୟୁ-ଟ୍ୟୁବରୁ ଶିଖିଲା ମର୍ଡର ଟ୍ରିକ୍ । ତାପରେ ଏକ ଟ୍ରାଭେରା ଗାଡ଼ିରେ ସହଯୋଗୀ କାଳିଆକୁ ନେଇ ପହଞ୍ଚିଥିଲା କୁଟ୍ରାଗଡ଼ରେ । ରମେଶ କୁଟ୍ରାଗଡ଼ ନିକଟ ଏକ ଇଟାଭାଟି ନିକଟକୁ ରାମଚନ୍ଦ୍ରଙ୍କୁ ଘରୁ ଡାକି ନେଇଥିଲା । ସେଠାରେ କିଛି ସମୟ ଯୁକ୍ତି ତର୍କ ପରେ ରମେଶ ଇଟାରେ ମୁଣ୍ଡକୁ ଛେଚି ମାରି ଦେଇଥିଲା ରାମଚନ୍ଦ୍ରଙ୍କୁ । ଏହି ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ କୁଟ୍ରାଗଡ଼ ବ୍ରିଜ୍ ତଳକୁ ମଟରସାଇକେଲ ସହ ରାମଚନ୍ଦ୍ରଙ୍କ ମୃତଦେହକୁ ଫିଙ୍ଗି ଦେଇଥିଲା ରମେଶ ।

Leave A Reply

Your email address will not be published.