ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି : ଆଧ୍ୟାତ୍ମିକତାର ବାର୍ତ୍ତାବହ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏକାତ୍ମମତା ସ୍ତୋତ୍ରରେ ଲିଖିତ- ମହେନ୍ଦ୍ର ମଳୟ ସହ୍ୟ ଦେବାତ୍ମତା ହିମାଳୟ”। ଅର୍ଥାତ୍ ଏହି ପର୍ବତମାଳା ହିମାଳୟ ସହିତ ତୁଳନୀୟ। କାହିଁକିନା ମହେନ୍ଦ୍ରଗିରି ମହାଭରତ ଓ ରାମାୟଣ ଯୁଗରୁ ହିଁ ଦେବାଦେବୀଙ୍କ ଆଳୟ ଭାବେ ସୁଖ୍ୟାତି ଅର୍ଜନ କରି ଆସିଛି। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଂଚାୟତ ମଧ୍ୟରେ ରହିଛି ସପ୍ତପର୍ବତ ବେଷ୍ଟିତ ମହେନ୍ଦ୍ରଗିରି। ସପ୍ତନଦୀ ମଧ୍ୟରେ ପବିତ୍ର ମହେନ୍ଦ୍ରତନୟା ଏଥିରୁ ସୃଷ୍ଟି। ପ୍ରତିବର୍ଷ ଶିବରାତ୍ରିରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ ମହେନ୍ଦ୍ରଗିରିରେ।
ମହେନ୍ଦ୍ରଗିରି ପଦଦେଶରେ ରହିଛି ଧର୍ମରାଜ ଯୁଧିଷ୍ଠିର, ମାତା କୁନ୍ତୀଙ୍କ ମନ୍ଦିର। ଶିଖର ପାହାଡ଼ ମଧ୍ୟରେ ଅଛି ଗଦାଧାରୀ ଭୀମଙ୍କ ମନ୍ଦିର । ଏହି ମନ୍ଦିର ବହୁ ଟନ୍ ଓଜନର ପଥରରେ ତିଆରି। ସେହିଭଳି, ଅର୍ଜୁନ, ନକୁଳ ଓ ସହଦେବଙ୍କ ମନ୍ଦିର ପାହାଡ଼ ଗୁମ୍ଫାରେ ଶୋଭିତ। କୁନ୍ତୀ ମନ୍ଦିର ନିକଟରେ ପାହାଡ଼ ମଧ୍ୟରୁ କୁଳୁକୁଳୁ ନାଦରେ ପ୍ରବାହିତ ହୋଇ ଆସୁଛି ଏକ ଝରଣା, ଯାହାର ଦୃଶ୍ୟ ମନମୁୁଗ୍ଧକର। ମାତା କୁନ୍ତୀଙ୍କ ମନ୍ଦିର ନିକଟରେ ଏକ ବିରାଟ ଆମ୍ରବୃକ୍ଷ ଦଣ୍ଡାୟମାନ। ଏହା ସତୀଆମ୍ବ ନାମରେ ନାମିତ। ଏହି ବୃକ୍ଷ ବାରମାସ ଆମ୍ବରେ ଭରି ରହୁଥିବା ଦେଖିବାକୁ ମିଳେ। ସେହିଭଳି, ମହେନ୍ଦ୍ର ‌ ପଦଦେଶରେ ରହି ସକାଳାର ସୂର୍ଯ୍ୟ ଉଦୟ ଦୃଶ୍ୟ ବେଶ୍ ମନୋରମ।
ଦାରୁବ୍ରହ୍ମ ପାହାଡ଼ରେ ରହିଛି ଭଗବାନ ଶ୍ରୀକୃଷ୍ଣଙ୍କ ମନ୍ଦିର। ଶିଆଳିଲଟାରେ ବିଶ୍ରାମ ନେବା ସମୟରେ ଜାରା ଶବର ଶ୍ରୀକୃଷ୍ଣଙ୍କ ପାଦକୁ ମୃଗ ଭାବି ତୀର ମାରିଥିଲେ। ଯାହା ଫଳରେ ଶ୍ରୀକୃଷ୍ଣ ଦେହତ୍ୟାଗ କରିଥିଲେ। ତେବେ, ଶରୀରକୁ ଯେତେ ଦାହ କଲେ ମଧ୍ୟ ନ ପୋଡ଼ିବାରୁ ତାହା ଦାରୁ ଆକାରରେ ସେମିତି ପଡ଼ି ରହିଥିଲା । ତେବେ, ଇନ୍ଦ୍ରଦ୍ୟୁମ୍ନଙ୍କ ଶ୍ରଦ୍ଧାରେ ସେହି ଦାରୁ ସମୁଦ୍ରରେ ଭାସି ଯାଇ ପୁରୀ କୂଳରେ ଲାଗିଲା। ସେଇ ଦାରୁ ନିର୍ମିତ ତିନି ଠାକୁର ବର୍ତ୍ତମାନ ପୂଜିତ ହେଉଛନ୍ତି ପୁରୀ ଶ୍ରୀମନ୍ଦିରରେ। ଉକ୍ତ କିମ୍ବଦନ୍ତୀ ଛଳରେ ଏହି ପାହଡ଼ର ନିର୍ଦ୍ଦିଷ୍ଟ ଜାଗାଟିକୁ ଦାରୁବ୍ରହ୍ମ ନାମରେ ନାମିତ କରାଯାଇଛି। ସେହିଭଳି, ଆଜି ମଧ୍ୟ ଲୋକ ବିଶ୍ବାସ ରହିଛି ଯେ ଭଗବାନ ପର୍ଶୁରାମ ମହେନ୍ଦ୍ରଗିରି ଠାରେ ତପସ୍ୟାରତ। ତାଙ୍କରି ଘଣ୍ଟିଶବ୍ଦ ଗୁଞ୍ଜୁରିତ ହୁଏ। ଯେଉଁମାନେ ଭଗବାନ ପର୍ଶୁରାମଙ୍କ ଶରଣାପନ୍ନ ସେମାନଙ୍କୁ ସେ ଦେଖାଦିଅନ୍ତି ବୋଲି ଜନଶ୍ରୁତି ରହିଛି। ମହେନ୍ଦ୍ରଗିରିରେ ବହୁ ଔଷଧୀୟ ବୃକ୍ଷଲତା ଭରପୂର ହୋଇରହିଛି। ପାହାଡ଼ରେ ଥିବା ଏକ ଲମ୍ବା ଘାସକୁ ଭୀମଙ୍କ ବାଳ ବୋଲି ଅଭିହିତ କରି ଆଦିବାସୀମାନେ ସେମାନଙ୍କ ପିଲାଙ୍କ ବେକରେ ଘାସକୁ ଶିବରାତ୍ରୀରେ ଗୁଡ଼ାଇ ରଖିଥାନ୍ତି। ଏହା ଦ୍ବାରା ପିଲାଏ ଭୀମଙ୍କ ଭଳି ହେବେ ବୋଲି ସେମାନଙ୍କର ବିଶ୍ବାସ।
ପୂର୍ବେ ରାସ୍ତାଘାଟର ସୁବିଧା ନଥିଲା । କେବଳ ପାଦଚଲା ରାସ୍ତା ଛଡ଼ା ଅନ୍ୟ କିଛି ନଥିଲା । ସେତେବେଳେ ‘ଏ ଭୀମ ମୋତେ ଶୀଘ୍ର ମହେନ୍ଦ୍ର ଉପରକୁ ନିଅ’ ବୋଲି ଲୋକେ ଡାକ ପକାଉଥିବା ଶୁଣିବାକୁ ମିଳୁଥିଲା। ବର୍ତ୍ତମାନ ଅବଶ୍ୟ ରାସ୍ତାର ସୁବିଧା ହେଲାଣି। କଇଁପୁର ବୁରଖତ ପଟରୁ ମହେନ୍ଦ୍ରଗିରିକୁ ଯିବାର ସୁବିଧା ହେଲାଣି। ତେବେ, ରାସ୍ତା ଅବସ୍ଥା କହିଲେ ନ ସରେ। ସାଂସଦ ଓ ବିଧାୟକଙ୍କ ଜରିଆରେ ବହୁବାର ଏହାକୁ ସୁଧାରିବା ପାଇଁ ଦାବି ହେଲାଣି। କିନ୍ତୁ, କାର୍ଯ୍ୟାନୁଷ୍ଠାନ ଶୂନ।
ବାରମାସରେ ମହେନ୍ଦ୍ର ଶିଖରରୁ ପ୍ରବାହିତ ‌ହେଉଥିବା ଗୋଟିଏ ଝରଣା ପର୍ଶୁରାମ କୁଣ୍ଡ ନାମରେ ତୁମ୍ବା ଜରଡ଼ାଗଡ଼ ଦେଇ ପ୍ରବାହିତ ହେଉଛି। ଅନ୍ୟ ଏକ ଧାର ମହେନ୍ଦ୍ରତନୟା ନଦୀ ଭାବେ କଇଁପୁରୁ, ଜିରାଙ୍ଗ, ରାୟଗଡ ପାରଳା ଦେଇ ପ୍ରବାହିତ ହେଉଛି। ଏହି ନଦୀ ଜଳକୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଚାଷ ପାଇଁ ସୁବ୍ୟବସ୍ଥା କରିଥିଲେ। ବାଟିଆଶ୍ରୀପୁରୁ ଠାରେ ଏକ ବିରାଟ ନଦୀ ବନ୍ଧ ଯୋଜନା କରିଥିଲେ, ଯାହାକି ଆଜି ହଜାର ହଜାର ଏକର ଚାଷ ଜମିରେ ପାଣି ମାଡ଼ିପାରୁଛି । ବର୍ତ୍ତମାନ ରାଜ୍ୟ ସରକାର ଡ଼ମ୍ବାପୁରୁ ଠାରେ ଏକ ବିରାଟ ଡ୍ୟାମ ନିର୍ମାଣ କରିବାକୁ ଯାଉଛନ୍ତି। ଫଳରେ, ଗଜପତି ଜିଲ୍ଲାର ହଜାର ହଜାର ଏକର ଜମିକୁ ପାଣି ଆସିବାରେ ସହାୟକ ହେବ। ଏଣୁ, ଆଧ୍ୟାତ୍ମିକତାର ବାର୍ତ୍ତାବହ ଏହି ମହେନ୍ଦ୍ରଗିରିକୁ ପର୍ଯ୍ୟଟନର କେନ୍ଦ୍ରବିନ୍ଦୁ ଭାବେ ଗଢ଼ି ତୋଳିବା ପାଇଁ ଦାବି ହୋଇଛି।

Leave A Reply

Your email address will not be published.