ନବୀନଙ୍କ ଇସ୍ତଫା ମଞ୍ଜୁର, ୨୭ରେ ଶପଥ ନେବେ ନୂଆ ମନ୍ତ୍ରୀମଣ୍ଡଳ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୧୧୨ ବିଧାନସଭା ଆସନ ଜିତି ୫ମ ଥର ପାଇଁ ସରକାର ଗଢ଼ିବାକୁ ଯାଉଛି ବିଜେଡି । ଆସନ୍ତାକାଲି ବିଜେଡି ବିଧାୟକ ଦଳ ବୈଠକ ବସିବାକୁ ଯାଉଛି । ୨୭ ତାରିଖରେ ରାଜଭବନଠାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ଏ ନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଥିଲା ବେଳେ କାହାକୁ କେଉଁ ମନ୍ତ୍ରୀ ପଦ ମିଳିବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସରକାରୀ ଭାବେ ଏ ନେଇ ବିଧିବଦ୍ଧ କୌଣସି ଘୋଷଣା କରାଯାଇ ନାହିଁ ।

ସଂଖ୍ୟା ଗରିଷ୍ଠତା ହାସଲ କରି ପଞ୍ଚମ ଥର ଲାଗି ବିଜେଡି ପୁଣି କ୍ଷମତାକୁ ଫେରିଛି । ବିଦ୍ଧିବଦ୍ଧ ଭାବେ ଜିତିଥିବା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନ ଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟର ସମସ୍ତ ୨୧ଟି ଲୋକ ସଭା ଓ ୧୪୬ ବିଧାନସଭା ଆସନର ସମ୍ପୂର୍ଣ୍ଣ ଫଳାଫଳ ମିଳିବ । ଫଳାଫଳ ହସ୍ତଗତ ହେବା ପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏ ନେଇ ରାଜ୍ୟପାଳଙ୍କୁ ଅବଗତ କରାଇବେ । ଏହାପରେ ସଂଖ୍ୟାଗରିଷ୍ଠ ଲାଭ କରିଥିବା ଦଳ ମନ୍ତ୍ରିମଣ୍ଡଳ ଗଠନ କରିବା ନେଇ ରାଜ୍ୟପାଳଙ୍କୁ ଜଣାଇବେ।

ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ ବିଧିବଦ୍ଧ ଭାବେ ଇସ୍ତଫା ଦେଇଛନ୍ତି । ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ରାଜ୍ୟପାଳଙ୍କୁ ଜଣାଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫାକୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଆଜି ମଞ୍ଜୁର କରିଛନ୍ତି । ଏହାସହିତ ନୂଆ ସରକାର ଗଠନ ହେବାପର୍ଯ୍ୟନ୍ତ ତାଙ୍କୁ କାମଚଳା ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି ।

Leave A Reply

Your email address will not be published.