ପୂଜାବେଳେ ସଂପୂର୍ଣ୍ଣ ସତର୍କ ରହିବାକୁ ନବୀନଙ୍କ ପରାମର୍ଶ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟର ସମୁଦାୟ ଟେଷ୍ଟିଂ ସଂଖ୍ୟା ୪୦ ଲକ୍ଷରୁ ଅଧିକ ଏବଂ ଆରୋଗ୍ୟଙ୍କ ସଂଖ୍ୟା ଅଢ଼େଇ ଲକ୍ଷରେ ପହଞ୍ଚିଛି । ତଥାପି ଆତ୍ମସନ୍ତୋଷ ହେବାର ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତର୍କ କରାଇଛନ୍ତି। ବୁଧବାର ଭିଡିଓ କନଫରେନ୍ସିଂ ଜରିଆରେ କୋଭିଡ ପରିଚାଳନାର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ସମସ୍ତ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୁଲିସ ପ୍ରଶାସନ ଓ କୋଭିଡ ଯୋଦ୍ଧାମାନଙ୍କ କଠିନ ପରିଶ୍ରମ ଏବଂ ସମସ୍ତ ସଂପୃକ୍ତ ବିଭାଗର ଉଦ୍ୟମ ଯୋଗୁଁ ରାଜ୍ୟରେ କ୍ରମାଗତ ଭାବେ ନୂଆ କୋଭିଡ ସଂକ୍ରମଣ କମୁଛି। ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଅଧିକ ସତର୍କ ହେବା ସହିତ ସମସ୍ତ କୋଭିଡ ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି ଯେ କୋଭିଡ ସଂପର୍କରେ ଜନସଚେତନତା ପାଇଁ ବ୍ୟାପକ ସୂଚନା ଅଭିଯାନ ଜାରି ରଖିବା ସହିତ କୌଣସି କ୍ଷେତ୍ରରେ ସାମାନ୍ୟ ଅବହେଳା କରାଯିବା ଉଚିତ ନୁହେଁ। ଅନ୍ୟାନ୍ୟ ଜଟିଳ ରୋଗ ଥିବା ରୋଗୀଙ୍କ ଚିକିତ୍ସା ଉପରେ ଅଧିକ ଗୁରୁତ୍ୱ ଦେବାକୁ ହେବ। ଗରିବ ଲୋକଙ୍କ ଜୀବିକାକୁ ଦୃଷ୍ଟିରେ ରଖି ଅର୍ଥନୈତିକ କାର୍ଯ୍ୟକ୍ରମ ଯେପରି ଅବିରତ ଭାବେ ଜାରି ରହିବ, ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଶିଳ୍ପ ସଂସ୍ଥା ଗୁଡ଼ିକ ନିର୍ବିଘ୍ନରେ ଯେପରି ସେମାନଙ୍କ ଉତ୍ପାଦନ ଜାରି ରଖିବେ, ପୁଞ୍ଜି ବିନିଯୋଗ କାର୍ଯ୍ୟକାରୀ ହେବ, ସେଥିପାଇଁ ସମସ୍ତ ଉଦ୍ୟମ ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ କୋଭିଡ ଯୋଦ୍ଧା ମାନଙ୍କୁ ଓ ସେମାନଙ୍କ ପରିବାରକୁ ଦଶହରାର ଶୁଭେଚ୍ଛା ଜଣାଇଥିଲେ।

Leave A Reply

Your email address will not be published.