ପୁଣି ଇତିହାସ ରଚିଲେ ନୀରଜ ଚୋପ୍ରା

ପୁଣି ଇତିହାସ ରଚିଲେ ଟୋକିଓ ଅଲମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା। ଶୁକ୍ରବାର ଲୁସାନେ ଡାଇମଣ୍ଡ ଲିଗ(Lausanne Diamond League 2022)ରେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ନୀରଜ । ପ୍ରଥମ ଭାରତୀୟ ଭାବେ ୨୪ ବର୍ଷୀୟ ନୀରଜ ଚୋପ୍ରା ଏହି ଟାଇଟଲ୍ ହାସଲ କରି କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ତେବେ ପ୍ରଥମ ପ୍ରୟାସରେ ଜାଭେଲିନକୁ ୮୯.୦୮ ମିଟର ଦୂରରେ ଫିଙ୍ଗି ଲୁସାନେ ଡାଇମଣ୍ଡ ଲିଗର ଟାଇଟଲ ହାତେଇଛନ୍ତି ସେ । ଏହା ତାଙ୍କ କ୍ୟାରିୟରର ତୃତୀୟ ଶ୍ରେଷ୍ଠ ପ୍ରଦର୍ଶନ ।
ଏଥିସହ ସେପ୍ଟେମ୍ବର ୭ ଓ ୮ ରେ ସୁଇଜରଲ୍ୟାଣ୍ଡର ଜ୍ୟୁରିଚରେ ଅନୁଷ୍ଠିତ ଡାଇମଣ୍ଡ ଲିଗର ଫାଇନାଲରେ ପ୍ରବେଶ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ନୀରଜ । ଏହା ସହିତ ସେ ବର୍ତ୍ତମାନ ୨୦୨୩ ମସିହାରେ ହଙ୍ଗେରୀର ବୁଡାପେଷ୍ଟରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଚାମ୍ପିଅନସିପ୍ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି । ପ୍ରଥମ ପ୍ରୟାସରେ ନୀରଜ ୮୯.୦୮ ମିଟର ଦୂରତାକୁ ଜାଭେଲିନ୍ ଫିଙ୍ଗିଥିବା ବେଳେ ଦ୍ୱିତୀୟ ପ୍ରୟାସରେ ୮୫.୧୮ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଥିଲେ। ସେହିପରି ତୃତୀୟ ପ୍ରୟାସକୁ ସ୍କିପ କରି ୪ର୍ଥ ପ୍ରୟାସ ଫାଉଲ ହୋଇଥିଲା । ପଞ୍ଚମ ପ୍ରୟାସକୁ ସ୍କିପ କରି ଷଷ୍ଠ ପ୍ରୟାସରେ ସେ ୮୦.୦୪ ମିଟରକୁ ଜାଭେଲିନ ଫିଙ୍ଗିଥିଲେ ।
ଏହା ପୂର୍ବରୁ ଆହତ ହେବା କାରଣରୁ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇ ପାରିନଥିଲେ ନୀରଜ ଚୋପ୍ରା । ଓରେଗନରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ର ଫାଇନାଲରେ ନୀରଜଙ୍କ ଦେହରେ ଆଘାତ ଲାଗିଥିଲା, ଯେଉଁଠାରେ ସେ ସିଲଭର ପଦକ ଜିତିଥିଲେ, ୧୯ ବର୍ଷ ପରେ ଦ୍ବିତୀୟ ଭାରତୀୟ ଭାବେ ଏହି ସଫଳତା ହାସଲ କରିଥିଲେ ନୀରଜ । ବିଶ୍ୱ ଚାମ୍ପିଅନସିପରେ ନୀରଜ ୮୮.୧୩ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ରୌପ୍ୟ ପଦକ ଜିତିଥିଲେ ।