ଗରିବଙ୍କ ପ୍ରତି କେନ୍ଦ୍ରର ଦରଦ ନାହିଁ: ନବୀନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଗୁଣପୁର ଗସ୍ତ କରି ନିର୍ବାଚନୀ ପ୍ରଚାର କରିଛନ୍ତି । ମୁଖ୍ୟମନ୍ତ୍ରୀ ସେଠାରେ ପହଞ୍ଚିବା ପରେ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ତାଙ୍କୁ ସଭାସ୍ଥଳକୁ ନିଆଯାଇଥିଲା । ସେଠାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ସହ କେନ୍ଦ୍ରର ଅବହେଳା ସମ୍ପର୍କରେ ନବୀନ ଜନସାଧାରଣଙ୍କୁ ଅବଗତ କରାଇଥିଲେ ।

ଏହି ଅବସରରେ ଗୁଣପୁର ର୍ନିବାଚନ ମଣ୍ଡଳୀର କଂଗ୍ରେସ ଏବଂ ଭାଜପାର ୫୦ରୁ ଊର୍ଦ୍ଧ୍ୱ କର୍ମୀ ବିଜେଡିରେ ସାମିଲ ହୋଇଥିଲେ । ଏହାପରେ ସ୍ଥାନୀୟ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ବୁଲିବୁଲି ପ୍ରଚାର କରିବା ବେଳେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । ଓଡ଼ିଶା ପ୍ରତି କେନ୍ଦ୍ରୀୟ ଅବହେଳା କଥା ଉଠାଇ ନବୀନ କହିଥିଲେ, ଜଳକ୍ଳିଷ୍ଟ ଅଞ୍ଚଳରେ ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ନିମନ୍ତେ ରାଜ୍ୟ ସରକାର ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏଥିପାଇଁ କେନ୍ଦ୍ର ସରକାର ମାତ୍ର ଏକ ହଜାର କୋଟି ଟଙ୍କା ଦେଇଛନ୍ତି । ସେହିପରି ରାଜ୍ୟରେ ଆହାର ଯୋଜନା ଆରମ୍ଭ କରାଯିବା ବେଳେ କେନ୍ଦ୍ରକୁ ସହାୟତା ମଗାଯାଇଥିଲେ ବି ଏହା ମିଳି ନ ଥିଲା । ଗରିବଙ୍କ ପ୍ରତି କେନ୍ଦ୍ରର ଦରଦ ନ ଥିବାରୁ ରାଜ୍ୟ ସରକାର ନିଜ ଉଦ୍ୟମରେ ଏହି ଯୋଜନା ଅରମ୍ଭ କରିଥିଲେ । ସେହିପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡ଼ିଶା ନ ଆସି ଏବେ କେନ୍ଦ୍ରୀୟ ନେତାମାନେ ଭୋଟ ମାଗିବାକୁ ଚାଲି ଆସୁଛନ୍ତି ବୋଲି ନବୀନ କହିଥିଲେ।

ସେହିପରି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଗଜପତି ଗସ୍ତ କରି ସେଠାରେ ନିର୍ବାଚନୀ ପ୍ରଚାର କରିଥିଲେ । ସେଠାରେ ମଧ୍ୟ ସମାନ ଢ଼ଙ୍ଗରେ ନବୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିବା ଦେଖାଯାଇଥିଲା ।

Leave A Reply

Your email address will not be published.