୬ ଘଣ୍ଟା ଧରି ନୋରାଙ୍କୁ ଜେରା

0

ପୁଣି ବିବାଦରେ ଛନ୍ଦି ହେଲେ ବଲିଉଡ ଅଭିନେତ୍ରୀ ନୋରା ଫତେହି । ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ନୋରାଙ୍କୁ ୬ ଘଣ୍ଟା ଧରି ପୋଲିସ ପଚରାଉଚରା କରିଛି । ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖା ତଥା ଇଓଡବ୍ଲୁ ନୋରାଙ୍କୁ ଜେରା କରିଛି । କେବଳ ନୋରା ନୁହେଁ, ଏହି ମାମଲାରେ ଆସନ୍ତା ୧୨ ତାରିଖରେ ଜ୍ୟାକ୍‌ଲିନ୍‌ଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିବ ।

ମନି ଲଣ୍ଡରିଂ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ପରେ ବର୍ତ୍ତମାନ ନୋରା ଫତେହି ତଦନ୍ତ ଏଜେନ୍ସିର ଟାର୍ଗେଟରେ ଆସିଛନ୍ତି । ଶୁକ୍ରବାର ଦିନ ତାଙ୍କୁ ଦିଲ୍ଲୀର ମନ୍ଦିର ମାର୍ଗରେ ଥିବା ଆର୍ଥିକ ଅପରାଧ ଶାଖା ପ୍ରାୟ ୬ ଘଣ୍ଟା ପଚରାଉଚରା କରାଯାଇଛି । ଏହି ମାମଲାରେ ସୁକେଶ ଚନ୍ଦ୍ର ଶେଖର ଓ ଅଭିନେତ୍ରୀ ନୋରା ଫତେହିଙ୍କୁ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁହାଁମୁହିଁ ଜେରା କରିସାରିଛି। ଏବେ ଦିଲ୍ଲୀ ପୋଲିସ ପୁଣି ଥରେ ନୋରାଙ୍କୁ ଡକାଇ ଜେରା କରିଛି । ପଚରାଉଚରା ବେଳେ ପୋଲିସ ନୋରାଙ୍କୁ ପ୍ରାୟ ୫୦ରୁ ଅଧିକ ପ୍ରଶ୍ନ କରିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ଡିସେମ୍ବର ୨୦୨୦ରେ ସୁକେଶ ଚନ୍ଦ୍ରଶେଖର ନୋରା ଫତେହିଙ୍କୁ ଏକ BMW କାର ଉପହାର ଦେଇଥିଲେ । ଏହି ଅଭିଯୋଗକୁ ଅସ୍ୱୀକାର କରି ନୋରା ଫତେହି କହିଛନ୍ତି ଯେ, ‘ଚେନ୍ନାଇରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ବଦଳରେ ଏହି କାର ତାଙ୍କୁ ସୁକେଶ ନୁହେଁ ବରଂ ତାଙ୍କ ପତ୍ନୀ ଲୀନା ମାରିଆ ଦେଇଥିଲେ ।’ ଏପଟେ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ୨୦୦ କୋଟି ଟଙ୍କା ଠକେଇ ମାମଲା ଚାଲିଛି। ଏହା ସହ ଜଡିତ କିଛି ପ୍ରଶ୍ନ ନୋରା ଫତେହିଙ୍କୁ ମଧ୍ୟ ପଚରାଯାଇଥିଲା । ପଚରାଉଚରା ବେଳେ ନୋରା ପୋଲିସ ସହ ସହଯୋଗ କରିଥିବା କଥା ମଧ୍ୟ ଜଣାପଡିଛି । ନିକଟରେ ଏହି ମାମଲାକୁ ନେଇ ଇଡି ସପ୍ଲିମେଣ୍ଟାରୀ ଚାର୍ଜଶିଟ୍‌ ଦାଖଲ କରିଥିଲା । ଏଥିରେ ଜ୍ୟାକ୍‌ଲିନ୍‌ଙ୍କୁ ଇଡି ଅଭିଯୁକ୍ତ ବୋଲି ଦର୍ଶାଇଛି । ଏପଟେ ଜ୍ୟାକ୍‌ଲିନ୍‌ଙ୍କ ସହ ତାଙ୍କର କୌଣସି ଲିଙ୍କ ନାହିଁ ବୋଲି କହିଛନ୍ତି ନୋରା ।

SOA post below
Leave a comment